ଅକ୍ଷର ବ୍ୟୁରୋ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଗୁଡ଼ିଆପୋଖରୀ ନିକଟରେ ଘଟିଥିବା ଏକ ସିରିଜ୍ ସଡ଼କ ଦୁର୍ଘଟଣା ପରେ ବାଳକାଟି ଭାର୍ଗବୀ ବ୍ରିଜ୍ ଉପରେ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ଡ୍ରାମା। ଦୁର୍ଘଟଣାକୁ କେନ୍ଦ୍ର କରି ଉତ୍ୟକ୍ତ ଯୁବକମାନେ କାର ଚାଳକଙ୍କୁ ଗାଡ଼ିରୁ ଟାଣି ଆଣି ରାସ୍ତା ଉପରେ ନିର୍ମମ ଭାବେ ମାଡ଼ ମାରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଆହତ କାର ଚାଳକ ହେଲେ ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣି ଅଞ୍ଚଳର ବାସିନ୍ଦା ବିଭୂତି ଭୂଷଣ ରାଉତ। ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ବାପାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସହ ଥିବା ପୁଅ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ଉଭୟଙ୍କୁ ଉଦ୍ଧାର କରି ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛି।
ସୂଚନା ଅନୁସାରେ, ଗୁଡ଼ିଆପୋଖରୀ ନିକଟରେ ଘଟିଥିବା ସିରିଜ୍ ଦୁର୍ଘଟଣା ପରେ ଅନ୍ୟ ଦୁଇଟି ଦୁର୍ଘଟଣାଗ୍ରସ୍ତ କାରରେ ଥିବା କିଛି ଯୁବକ ବିଭୂତି ଭୂଷଣଙ୍କ କାରକୁ ପିଛା କରିଥିଲେ। ନିଜକୁ ରକ୍ଷା କରିବା ପାଇଁ ବିଭୂତି ଭାର୍ଗବୀ ବ୍ରିଜ୍ ଆଡ଼କୁ ଗାଡ଼ି ନେଇ ପଳାଇଥିଲେ। କିନ୍ତୁ ବ୍ରିଜ୍ ଉପରେ ତାଙ୍କୁ ଅଟକାଇ ଦିଆଯାଇଥିଲା। ଏହି ସମୟରେ କାର ଅଟକି ଯିବାରୁ ପଛରୁ ଆସୁଥିବା ଆଉ ଏକ କାର ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା, ଫଳରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।
ଅଭିଯୋଗ ଅନୁସାରେ, ଉତ୍ୟକ୍ତ ଯୁବକମାନେ ବିଭୂତି ଭୂଷଣଙ୍କୁ କାର ଭିତରୁ ଟାଣି ଆଣି ରାସ୍ତାରେ ପକାଇ ଭୀଷଣ ଭାବେ ବିଧା, ଗୋଇଠା ଓ ମାଡ଼ ମାରିଥିଲେ। ଘଟଣାର ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ଘଟଣା ପରେ ପୁଲିସ ଦୁର୍ଘଟଣାଗ୍ରସ୍ତ ୪ଟି କାରକୁ ଜବତ କରି ବାଳକାଟି ଫାଣ୍ଡିକୁ ନେଇଛି। ସେହିପରି କାର ଚାଳକମାନଙ୍କ ସମେତ କାରରେ ଥିବା ଏକାଧିକ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ସିରିଜ୍ ଦୁର୍ଘଟଣା ଓ ପରବର୍ତ୍ତୀ ହିଂସାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
















Leave a Reply