ବିବାହ ପରେ ବି ଶେଷ ହୁଏନି ପତ୍ନୀଙ୍କ ସହମତିର ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମକୁ ନେଇ ଚାଲିଥିବା ଆଇନଗତ ବିତର୍କ ମଧ୍ୟରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ ସାମ୍ନାକୁ ଆସିଛି। ବିବାହ ହୋଇଗଲେ ମଧ୍ୟ ପତ୍ନୀଙ୍କ ବ୍ୟକ୍ତିଗତ ସ୍ୱାୟତ୍ତତା ଓ ସହମତିର ଅଧିକାର ଶେଷ ହୋଇଯାଏ ନାହିଁ ବୋଲି ଶୁଣାଣି ସମୟରେ ଅଦାଲତ ଗୁରୁତ୍ୱ ଦେଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବିବାହକୁ ବ୍ୟକ୍ତିଗତ ସ୍ୱାୟତ୍ତତାର ଅନ୍ତ ଭାବେ ଦେଖାଯାଇପାରିବ ନାହିଁ।

ବୈବାହିକ ଦୁଷ୍କର୍ମକୁ ଅପରାଧ ଶ୍ରେଣୀରେ ରଖାଯିବ କି ନାହିଁ ଏବଂ ବର୍ତ୍ତମାନର ଆଇନରେ ଥିବା ବୈବାହିକ ଦୁଷ୍କର୍ମ ସମ୍ପର୍କିତ ବ୍ୟତିକ୍ରମ ସାମ୍ବିଧାନିକ ଭାବେ ବୈଧ କି ନୁହେଁ—ଏହି ପ୍ରମୁଖ ପ୍ରଶ୍ନ ଉପରେ ସର୍ବୋଚ୍ଚ ଅଦାଲତରେ ଶୁଣାଣି ଚାଲିଛି। ଆଇପିସିର ପୁରୁଣା ବ୍ୟବସ୍ଥା ସହ ବର୍ତ୍ତମାନର ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପର୍କିତ ବ୍ୟବସ୍ଥାକୁ ନେଇ ମଧ୍ୟ ଚ୍ୟାଲେଞ୍ଜ ରହିଛି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଜଷ୍ଟିସ୍‌ ଜୟମାଲ୍ୟ ବାଗଚି ଓ ଜଷ୍ଟିସ୍‌ ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଖଣ୍ଡପୀଠ ବିଚାର କରୁଛନ୍ତି ଯେ, ଯଦି ବର୍ତ୍ତମାନର ଆଇନଗତ ବ୍ୟତିକ୍ରମ ବଳବତ୍ତର ରହେ, ତେବେ ଏହା ସତ୍ତ୍ୱେ ବୈବାହିକ ଦୁଷ୍କର୍ମ ଅଭିଯୋଗରେ ଅପରାଧିକ ମାମଲା ଚାଲିପାରିବ କି ନାହିଁ। ସେହିପରି ଏହି ବ୍ୟତିକ୍ରମ ନିଜେ ସାମ୍ବିଧାନିକ ଭାବେ ବୈଧ କି ନୁହେଁ, ତାହା ମଧ୍ୟ ଅଦାଲତ ପରୀକ୍ଷା କରିବେ। ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ବୈବାହିକ ସମ୍ପର୍କରେ ସହମତି, ବ୍ୟକ୍ତିଗତ ସ୍ୱାୟତ୍ତତା ଓ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଆଇନଗତ ଅଧିକାରକୁ ନେଇ ଚାଲିଥିବା ଦୀର୍ଘଦିନର ତର୍କକୁ ନୂଆ ଦିଗ ଦେଇଛି। ଅଦାଲତ ଏହି ମାମଲାରେ ଆଗାମୀ ଶୁଣାଣି ସମୟରେ ଉଭୟ ପକ୍ଷର ଆଇନଗତ ଯୁକ୍ତିକୁ ବିଚାର କରିବେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial