ଜଙ୍ଗଲ ନିଆଁ ଲିଭାଇବା ବେଳେ ଦୁର୍ଘଟଣା: ୟୋସେମିଟି ନ୍ୟାସନାଲ ପାର୍କରେ ଫାୟାରଫାଇଟିଂ ହେଲିକପ୍ଟର କ୍ରାସ୍, ୨ ପାଇଲଟ୍ ମୃତ

ଅକ୍ଷର ବ୍ୟୁରୋ: ଆମେରିକାର ୟୋସେମିଟି ନ୍ୟାସନାଲ ପାର୍କରେ ଜଙ୍ଗଲ ନିଆଁ ଲିଭାଇବା ଅଭିଯାନ ବେଳେ ଘଟିଛି ବଡ଼ ଅଘଟଣ। ନିଆଁ ଉପରେ ପାଣି ପକାଇବାରେ ନିୟୋଜିତ ଏକ ଫାୟାରଫାଇଟିଂ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ଦୁଇଜଣ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ରବିବାର ଅପରାହ୍ନରେ ଜଙ୍ଗଲ ନିଆଁ ଉପରେ ପାଣି ପକାଇବା ଅଭିଯାନ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି।

ସୂଚନା ଅନୁସାରେ, ହେଲିକପ୍ଟରରେ ପାଇଲଟ୍‌ଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ। ଉଭୟ ପାଇଲଟ୍‌ କଣ୍ଟ୍ରାକ୍ଟ ବିମାନ କମ୍ପାନୀ ‘ପ୍ରିସିଜନ୍’ ପାଇଁ କାମ କରୁଥିଲେ। ଦୁର୍ଘଟଣାରେ ମୃତ ଜଣେ ପାଇଲଟ୍‌ଙ୍କ ପରିଚୟ ଗ୍ରେଗ୍ କିଙ୍ଗ୍‌ ଭାବେ ଜଣାପଡ଼ିଛି। ସେ ପୂର୍ବରୁ ଆଲାସ୍କା ଡିଭିଜନ୍ ଅଫ୍ ଫରେଷ୍ଟ୍ରି ଆଣ୍ଡ ଫାୟାର ପ୍ରୋଟେକ୍ସନ୍ ସହ କାମ କରୁଥିଲେ। ଆଲାସ୍କାରେ ଜଙ୍ଗଲ ନିଆଁ ଲିଭାଇବାର ଅନେକ ଅଭିଯାନରେ ସାମିଲ ହେବା ପରେ ସେ ‘ପ୍ରିସିଜନ୍’ ସହ ଯୋଡ଼ି ହୋଇଥିଲେ। ଆଲାସ୍କାର ଏହି ଏଜେନ୍ସିର ପ୍ରବକ୍ତା ଏମେରି ଜନସନ୍ କହିଛନ୍ତି ଯେ, ଗ୍ରେଗ୍ କିଙ୍ଗ୍‌ଙ୍କ ନିକଟ ସମ୍ପର୍କୀୟମାନେ ଏବେ ମଧ୍ୟ ଏଜେନ୍ସିରେ କାମ କରୁଛନ୍ତି। ପରିବାରର ଅନୁମତି ପରେ ହିଁ ତାଙ୍କ ନାମ ସାର୍ବଜନୀନ କରାଯାଇଥିଲା। ତେବେ ଦ୍ୱିତୀୟ ପାଇଲଟ୍‌ଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ।

ଫେଡେରାଲ୍ କମ୍ପ୍ଲେକ୍ସ ଇନ୍ସିଡେଣ୍ଟ ମ୍ୟାନେଜମେଣ୍ଟ ଟିମ୍‌ର ପ୍ରବକ୍ତା ବେଞ୍ଜାମିନ୍ କୋସେଲ୍ଙ୍କ ଅନୁଯାୟୀ, ‘ସୁପର ପୁମା’ ହେଲିକପ୍ଟରଟି ଜଙ୍ଗଲ ନିଆଁ ଲିଭାଇବା ପାଇଁ ‘ୱାଟର ବକେଟ୍’ ବ୍ୟବହାର କରୁଥିଲା। ଏହି ସମୟରେ ଏକ ହ୍ରଦ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ ପରିସ୍ଥିତି ସମ୍ପର୍କରେ ତୁରନ୍ତ କୌଣସି ବିସ୍ତୃତ ସୂଚନା ମିଳିନାହିଁ। ଏହି ଦୁର୍ଘଟଣାର ତଦନ୍ତ କରିବ ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍‌ (FAA) ଏବଂ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB)। ହେଲିକପ୍ଟରଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା, ସେନେଇ ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି କାରଣ ସ୍ପଷ୍ଟ କରିନାହାନ୍ତି।

ସେପଟେ, ସେପ୍ଟେମ୍ବର ମାସରେ ଆମେରିକାରେ ଜଙ୍ଗଲ ନିଆଁ ଲିଭାଇବା ସମୟରେ ଅନେକ ଜୀବନ ଯାଇଥିବା ଜଣାପଡ଼ିଛି। ଓକ୍ଲାହୋମାରେ ଜଣେ ଫାୟାରଫାଇଟର ନିଆଁ ସହ ଲଢ଼ୁଥିବା ସମୟରେ ମେଡିକାଲ୍ ଏମର୍ଜେନ୍ସି କାରଣରୁ ପ୍ରାଣ ହରାଇଥିଲେ। ଓରେଗନ୍‌ର ମାଉଣ୍ଟ ହୁଡ୍ ନ୍ୟାସନାଲ୍ ଫରେଷ୍ଟରେ ନିଆଁ ଲିଭାଇବା ସମୟରେ ଗଛ କାଟୁଥିବା ଜଣେ ଫାୟାରଫାଇଟରଙ୍କ ଉପରେ ଗଛ ପଡ଼ିଯାଇଥିଲା। ଏହାପୂର୍ବରୁ ଅଗଷ୍ଟ ମାସରେ ଓକ୍ଲାହୋମାରେ ଜଣେ ୱାଇଲ୍ଡଫାୟର ଅଧିକାରୀ ଜଳୁଥିବା କୋଠା ଖାଲି କରାଇବା ସମୟରେ ଫସିଯାଇ ପ୍ରାଣ ହରାଇଥିଲେ। ମିନେସୋଟାରେ ମଧ୍ୟ ମେଡିକାଲ୍ ଏମର୍ଜେନ୍ସି କାରଣରୁ ଜଣେ ଫାୟାରଫାଇଟରଙ୍କ ମୃତ୍ୟୁ ହୋଇଥିଲା। ଓରେଗନ୍‌ରେ ଜଣେ ବୁଲଡୋଜର ଅପରେଟର ଜଙ୍ଗଲ ନିଆଁରେ ଫସିଯାଇଥିଲେ। ଏହାପୂର୍ବରୁ ଜୁନ୍‌ ମାସରେ ପଶ୍ଚିମ କଲୋରାଡୋରେ ଜଙ୍ଗଲ ନିଆଁ ଲିଭାଇବା ସମୟରେ ୪ ଜଣ ଫାୟାରଫାଇଟରଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial