ନେପାଳ ପରେ ଆଫଗାନିସ୍ତାନରେ ଭୂକମ୍ପ ଝଟକା! ୪.୨ ତୀବ୍ରତା, ଅରୁଣାଚଳରେ ବି ୨.୯

ନୂଆଦିଲ୍ଲୀ: ନେପାଳ ପରେ ଆଫଗାନିସ୍ତାନରେ ଭୂକମ୍ପ ଝଟକା। ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (NCS) ଅନୁସାରେ, ଆଫଗାନିସ୍ତାନରେ ଭୂକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ସକାଳ ପ୍ରାୟ ୧୦ଟା ୦୧ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ କୌଣସି ଜନହାନି କିମ୍ବା କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଏହା ପୂର୍ବରୁ ମଙ୍ଗଳବାର ରାତିରେ ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରାତି ପ୍ରାୟ ୯ଟା ୫୩ ମିନିଟ୍‌ରେ ଆସିଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲୋମନ୍ଥାଙ୍ଗ ଅଞ୍ଚଳରେ ଥିବା NCS ପକ୍ଷରୁ ସୂଚନା ମିଳିଥିଲା। ଭୂକମ୍ପର କେନ୍ଦ୍ର ପ୍ରାୟ ୩୫ କିଲୋମିଟର ଗଭୀରତାରେ ଥିଲା। ଭୂକମ୍ପ ଝଟକା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲେ ମଧ୍ୟ ବଡ଼ଧରଣର କ୍ଷୟକ୍ଷତି କିମ୍ବା ଜନହାନିର ଖବର ଆସିନଥିଲା।

ମଙ୍ଗଳବାର ଦିନ ତିବ୍ଦତରେ ମଧ୍ୟ ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସକାଳ ପ୍ରାୟ ୯ଟା ୩୫ ମିନିଟ୍‌ରେ ଆସିଥିବା ଏହି ଝଟକା ନେପାଳ-ତିବ୍ଦତ ସୀମାବର୍ତ୍ତୀ ଅଞ୍ଚଳ ସମେତ ମନାଙ୍ଗ ଓ ଡୋଲପା ଅଞ୍ଚଳରେ ଅନୁଭୂତ ହୋଇଥିଲା। ତତ୍କାଳ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲା। ସେହିପରି ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଠାରେ ଭୂକମ୍ପର ତୀବ୍ରତା ୨.୯ ରହିଥିବା ବେଳେ ସକାଳ ୫ଟା ୪୪ ମିନିଟ୍‌ରେ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ର ପ୍ରାୟ ୧୦ କିଲୋମିଟର ଗଭୀରତାରେ ରହିଥିଲା। ଏହି ଭୂକମ୍ପରେ ମଧ୍ୟ କୌଣସି ଜନହାନି କିମ୍ବା ବଡ଼ଧରଣର କ୍ଷୟକ୍ଷତି ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial