ଅକ୍ଷର ବ୍ୟୁରୋ: ବାଲିଅନ୍ତାରୁ ଆସିଲା ଛାତି ଥରାଇ ଦେବା ଭଳି ଘଟଣା । ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ପୋଲିସ ଉପସ୍ଥିତିରେ ପିଟିପିଟି ମାରିଦେଲେ । ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଅଡ଼ଶପୁର ଅଞ୍ଚଳର ସୌମ୍ୟରଞ୍ଜନ ସ୍ବାଇଁ । ମୃତ ଯୁବକ ଜଣକ ଜିପିଆରରେ କାମ କରୁଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ତେବେ ତାଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ପୋଲିସ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।
ମିଳିଥିବା ଖବର ଅନୁସାରେ ସୌମ୍ୟ ତାଙ୍କ ଭଣଜାଙ୍କ ସହ ବାଇକରେ ଯାଉଥିଲେ । ଆଗରେ ଦୁଇ ଯୁବତୀ ସ୍କୁଟିରେ ଯାଉଥିଲେ । ସୌମ୍ୟଙ୍କ ବାଇକ ତାଙ୍କୁ ଧକ୍କା ଦେବା ପରେ ଯୁବତୀଦ୍ବୟ ତଳେ ପଡ଼ି ଯାଇଥିଲେ । ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ଯୁବତୀଙ୍କୁ ସୌମ୍ୟ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଯେଉଁ କାରଣରୁ ସେଠାରେ ଥିବା ସ୍ଥାନୀୟ ଲୋକେ ସୌମ୍ୟଙ୍କୁ ଆକ୍ରମଣ କରିଥିଲେ । ସୌମ୍ୟଙ୍କୁ ସ୍ଥାନୀୟ ଲୋକେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପୋଲିସ ପହଞ୍ଚିବା ପରେ ମଧ୍ୟ ଲୋକେ ମାଡ଼ ମାରିଥିଲେ । ଆଉ ତାଙ୍କର ମୃତ୍ୟୁ ହୋଇଛି । ଏବେ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି । ସେମାନେ କାହିଁକି ତୁରନ୍ତ ଯୁବକଙ୍କୁ ଉଦ୍ଧାର କଲେନାହିଁ । ତେବେ ଆକ୍ରମଣ କରି ମାରିଥିବା ଲୋକଙ୍କ ବିରୋଧରେ କଣ ଆକ୍ସନ ହେବ ଏହା ଉପରେ ସମସ୍ତଙ୍କ ନଜର ରହିଛି ।












Leave a Reply