ପ୍ରବଳ ବର୍ଷା-ବରଫପାତରେ ଚାରଧାମ ଯାତ୍ରା ବନ୍ଦ, ୨୭ ଯାଏଁ ଲାଗିଲା ରୋକ

ଡେରାଡୁନ: ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରବଳ ବର୍ଷା ଓ ବରଫପାତ ଯୋଗୁଁ ଚାରଧାମ ଯାତ୍ରା ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ ଜାରି କରିଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଚାରଧାମ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି। ଗଡ଼ୱାଲ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ସେପ୍ଟେମ୍ବର ୨୬ ଅପରାହ୍ଣରୁ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଯାତ୍ରା ବନ୍ଦ ରହିବ।

ଚମୋଲି ଜିଲ୍ଲାର ବଦ୍ରିନାଥ ଧାମ ଓ ହେମକୁଣ୍ଡ ସାହିବ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି। ଏହାସହ ଭାରତ-ଚୀନ ସୀମା ନିକଟରେ ଥିବା ବିଭିନ୍ନ ସୁରକ୍ଷା ଛକ ଅଞ୍ଚଳରେ ମଧ୍ୟ ବରଫପାତ ହୋଇଥିବା ସୂଚନା ମିଳିଛି। ଏଭଳି ପାଣିପାଗ ପରିସ୍ଥିତିରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ଯାତ୍ରା ଉପରେ ସାମୟିକ ରୋକ ଲଗାଇଛି। ଗଡ଼ୱାଲ କମିଶନରଙ୍କ ପକ୍ଷରୁ ଜାରି ନୋଟିସରେ ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ପାଣିପାଗ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଓ ଯାତ୍ରୀମାନେ ଯାତ୍ରା ନକରିବା ସହ ପ୍ରଶାସନର ନିର୍ଦ୍ଦେଶ ମାନି ସୁରକ୍ଷିତ ସ୍ଥାନରେ ରହିବାକୁ ଅପିଲ୍ କରାଯାଇଛି। ପାଣିପାଗ ସ୍ୱାଭାବିକ ହେବା ପରେ ଯାତ୍ରା ପୁଣି ଆରମ୍ଭ ନେଇ ଆବଶ୍ୟକ ସୂଚନା ଜାରି କରାଯିବ।

ଅନ୍ୟପଟେ, କେଦାରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବାକୁ ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି। ପାଣିପାଗ ସ୍ୱାଭାବିକ ହେବା ପରେ ହେଲିକପ୍ଟର ସେବା ପୁଣି ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ଡେରାଡୁନ, ଟିହରି, ହରିଦ୍ୱାର ଓ ପୌଡ଼ି ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ରେଡ୍‌ ଆଲର୍ଟ ଜାରି କରିଛି। ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପାଣିପାଗର ସ୍ଥିତି ଉପରେ ନିରନ୍ତର ନଜର ରଖିଛି। ଯାତ୍ରୀମାନଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial