ଆଜି ପବିତ୍ର ଧନତେରାସ, ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ଆଜି ପବିତ୍ର ଧନତେରାସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୋୟୋଦଶୀ ତିଥିରେ ଧନତେରାସ ପାଳିତ ହେଉଛି । ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ନୂଆ ବାସନ, ସୁନା, ଧନିଆ, ଝାଡୁ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମୂର୍ତ୍ତି କିଣିବା ବେଶ ଶୁଭପ୍ରଦ ବୋଲି କୁହାଯାଏ । ଧନତେରାସରେ ନୂଆ ସାମଗ୍ରୀ କିଣିଲେ ପରିବାରର ମଙ୍ଗଳ ହୁଏ ବୋଲି ଲୋକଙ୍କୁ ଧର୍ମୀୟ ବିଶ୍ୱାସ ରହିଛି । 

ବିଶେଷ କରି ସୁନା, ରୁପା ଓ ମୂଲ୍ୟବାନ ଧାତୁ କିଣି ଲୋକ ଘରକୁ ଆଣନ୍ତି । ଧନତେରାସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି, ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ । ଧନତେରାସ ଭଳି ଶୁଭ ଦିନରେ କେବଳ ସୁନା ନୁହେଁ, ନୂଆଗାଡ଼ି, ଆସବାବପତ୍ର ଲୋକ କିଣାକିଣି କରିଥାନ୍ତି । ପବିତ୍ର ଧନତେରାସରୁ ଆରମ୍ଭ ହେଉଛି ହିନ୍ଦୁଙ୍କ ପଞ୍ଚ ପର୍ବ । ତେବେ ଚଳିତ ବର୍ଷ ପଞ୍ଚପର୍ବ ୫ ଦିନ ବଦଳରେ ୬ ଦିନ ଧରି ପାଳିତ ହେବ । ଏହି ପଞ୍ଚପର୍ବ ପାଞ୍ଚ ଗ୍ରହ, ପାଞ୍ଚ ଶକ୍ତି ଓ ୫ଟି ପର୍ବପର୍ବାଣୀ ପାଇଁ ଉତ୍ସର୍ଗୀକୃତ । ଧନତେରାସ ପରେ ମରକ ଚତୁର୍ଦ୍ଦଶୀ, ଦୀପାବଳି, ଗୋବର୍ଦ୍ଧନ ପୂଜା ଓ ଭାଇ ଜିଉନ୍ତିଆ ପାଳିତ ହେବ ।

ତେବେ ଧନତେରାସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରତ୍ୟେକ ପରିବାର ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରୁ ବୋଲି ଏକ୍ସ ମାଧ୍ୟମରେ କହିଛନ୍ତି । ଚାଷୀ, ଶ୍ରମିକ, ମହିଳା ଓ ଯୁବପିଢ଼ିଙ୍କ ପାଇଁ ସଫଳତାର ନୂଆ ଦ୍ୱାର ଉନ୍ମୁକ୍ତ ହେଉ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଧନତେରସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପବିତ୍ର ଅବସରରେ ସମସ୍ତଙ୍କ ସୁଖ, ସୌଭାଗ୍ୟ ଓ ସ୍ୱାସ୍ଥ୍ୟ କାମନା କରୁଛି । ଭଗବାନ ଧନ୍ୱନ୍ତରୀ ସମସ୍ତଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ କହିଲେ ମୋଦି ଏକ୍ସ ମାଧ୍ୟମରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial