ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ବାଣୀବିହାର ନିକଟସ୍ଥ ନାଳରେ ନିଖୋଜ ଅନୀଲଙ୍କୁ ଠାବ କରିବା ପାଇଁ ତୃତୀୟ ଦିନରେ ମଧ୍ୟ ଜୋରଦାର ଉଦ୍ଧାର ଅଭିଯାନ ଜାରି ରହିଛି। ‘ଅପରେସନ୍ ଅନୀଲ’ ନାମରେ ଚାଲିଥିବା ଏହି ସର୍ଚ୍ଚ ଅପରେସନ୍ରେ ଅଗ୍ନିଶମ ବାହିନୀ, ଉଦ୍ଧାରକାରୀ ଟିମ୍ ଓ ପ୍ରଶାସନର ବିଭିନ୍ନ ସଂସ୍ଥା ସକ୍ରିୟ ଭାବେ ନିୟୋଜିତ ଅଛନ୍ତି। ତେବେ ଲଗାତାର ତିନି ଦିନର ଚେଷ୍ଟା ସତ୍ତ୍ୱେ ଏପର୍ଯ୍ୟନ୍ତ ଅନୀଲଙ୍କ କୌଣସି ସନ୍ଧାନ ମିଳିନାହିଁ।
ସୂଚନା ଅନୁସାରେ, ଗତ ଶନିବାର ସନ୍ଧ୍ୟାରେ ବାଣୀବିହାର ନିକଟ ନାଳ ଅଞ୍ଚଳରୁ ଅନୀଲ ନିଖୋଜ ହୋଇଥିଲେ। ଘଟଣା ପରଠାରୁ ଉଦ୍ଧାରକାରୀ ଦଳ ନିରବଚ୍ଛିନ୍ନ ଭାବେ ତଲାଶି ଅଭିଯାନ ଚଳାଇ ଆସୁଛନ୍ତି। ଆଜି ସକାଳୁ ପୁଣିଥରେ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନାଳ ଓ ସଂଲଗ୍ନ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ନାଳର ବିଭିନ୍ନ ଅଂଶ ଏବଂ ପାଖପାଖି ଅଞ୍ଚଳରେ ସମ୍ଭାବ୍ୟ ସମସ୍ତ ସ୍ଥାନକୁ ଯାଞ୍ଚ କରାଯାଉଛି। ବର୍ଷା ଯୋଗୁଁ ନାଳରେ ପାଣିର ସ୍ରୋତ ଏବଂ କାଦୁଅ ପରିସ୍ଥିତି ଉଦ୍ଧାର କାର୍ଯ୍ୟକୁ ଚ୍ୟାଲେଞ୍ଜିଂ କରିଥିଲେ ମଧ୍ୟ ଟିମ୍ର ତଲାଶି ଜାରି ରହିଛି। ପ୍ରଶାସନ ପକ୍ଷରୁ ଅପରେସନ୍କୁ ଆହୁରି ତୀବ୍ର କରାଯାଇଥିବା ସହ ସମ୍ଭାବ୍ୟ ସମସ୍ତ ସ୍ଥାନରେ ଖୋଜାଖୋଜି କରାଯାଉଛି।
ଏପଟେ, ଅନୀଲଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନେଇ ପରିବାର ସଦସ୍ୟ ଓ ସ୍ଥାନୀୟ ବସ୍ତିବାସିନ୍ଦା ଆଶା ଓ ଆତଙ୍କ ମଧ୍ୟରେ ଅପେକ୍ଷା କରି ରହିଛନ୍ତି। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଲାଗି ରହିଥିବାବେଳେ ପ୍ରତ୍ୟେକ ମୁହୂର୍ତ୍ତରେ ଉଦ୍ଧାର ଅଭିଯାନର ଅପଡେଟ୍ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରଶାସନ କହିଛି, ଅନୀଲଙ୍କ ସନ୍ଧାନ ମିଳିବା ପର୍ଯ୍ୟନ୍ତ ଉଦ୍ଧାର ଅଭିଯାନ ଅବ୍ୟାହତ ରହିବ।
















Leave a Reply