ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଅବ୍ୟବସ୍ଥା: ବ୍ୟାରିକେଡ୍ ଭାଙ୍ଗି ରଥଖଳାକୁ ଧସେଇ ପଶିଲେ ଭକ୍ତ, ପୁଲିସ ସହ ଧସ୍ତାଧସ୍ତି

ଅକ୍ଷର ବ୍ୟୁରୋ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦୁର୍ଲଭ ସ୍ନାନବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ରଥଖଳା ନିକଟରେ ଭିଡ଼ ନିୟନ୍ତ୍ରଣକୁ ନେଇ ଅବ୍ୟବସ୍ଥା ଦେଖାଦେଇଛି। ଭକ୍ତଙ୍କ ପ୍ରବଳ ସୁଅ ଯୋଗୁଁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା ଏବଂ ବ୍ୟାରିକେଡ୍ ଭାଙ୍ଗି ରଥଖଳା ଭିତରକୁ ଧସେଇ ପଶିବା ଘଟଣା ଉତ୍ତେଜନା ସୃଷ୍ଟି କରିଛି।

ସୂଚନା ଅନୁସାରେ, ସ୍ନାନମଣ୍ଡପ ନିକଟ ରଥଖଳାକୁ ପ୍ରବେଶ ପାଇଁ କରାଯାଇଥିବା ବ୍ୟାରିକେଡ୍ ସାମ୍ନାରେ ଭକ୍ତମାନେ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିଲେ। ବିଳମ୍ବ ହେବାରୁ ଅସନ୍ତୋଷ ବଢ଼ିଥିଲା ଏବଂ ହଠାତ୍ ଶହ ଶହ ଶ୍ରଦ୍ଧାଳୁ ବ୍ୟାରିକେଡ୍ ଭାଙ୍ଗି ରଥଖଳା ଅଭିମୁଖେ ଧସେଇ ପଶିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଚେଷ୍ଟା କରିଥିଲେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ପୁଲିସ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଠେଲାପେଲା ବେଳେ ଅନେକ ଭକ୍ତ ତଳେ ପଡ଼ିଯାଇଥିବାବେଳେ ବ୍ୟାରିକେଡ୍ ଉପରେ ପଡ଼ି କିଛି ଜଣ ଆହତ ହୋଇଥିଲେ।

ଅନ୍ୟପଟେ ପ୍ରବଳ ଗରମ ଓ ଅତ୍ୟଧିକ ଗହଳି ଯୋଗୁଁ ଅନେକ ବୃଦ୍ଧ, ମହିଳା ଓ ଶିଶୁ ଅଣନିଶ୍ୱାସ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାଣି ଓ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଗୁରୁତର ଅସୁସ୍ଥ ହୋଇପଡ଼ିଥିବା କିଛି ଭକ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅନେକ ଶ୍ରଦ୍ଧାଳୁ ଭିଡ଼ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭକ୍ତଙ୍କ ଅଭିଯୋଗ, ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ଆବଶ୍ୟକ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial