ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ: ଉପକୂଳରେ କମିଛି ବର୍ଷା, ପଶ୍ଚିମରେ ସତର୍କତା ଜାରି; ସମୀକ୍ଷା ପରେ ବଡ଼ ସୂଚନା ଦେଲେ ମନ୍ତ୍ରୀ

ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ପରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ଓ ବର୍ଷାଜନିତ ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସମୀକ୍ଷା ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ପ୍ରବଳ ବର୍ଷାଜନିତ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ଏବଂ ସରକାର ପ୍ରତ୍ୟେକ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଉପକୂଳ ଓଡ଼ିଶାରେ ବର୍ଷା ପ୍ରାୟତଃ କମିଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଏବେ ମଧ୍ୟ ବର୍ଷା ଜାରି ରହିଛି। ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

ନଦୀଗୁଡ଼ିକର ସ୍ଥିତି ସମ୍ପର୍କରେ ସୁରେଶ ପୂଜାରୀ କହିଛନ୍ତି ଯେ, ମହାନଦୀ, ଦେବୀ, ଇବ, ବୈତରଣୀ, ଋଷିକୁଲ୍ୟା ଓ ଜଳକା ସମେତ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ନିୟନ୍ତ୍ରଣରେ ରହିଛି। ତେବେ ବୈତରଣୀ ନଦୀର କିଛି ସ୍ଥାନରେ ଜଳସ୍ତର ବିପଦ ସଙ୍କେତର ନିକଟରେ ଥିଲେ ମଧ୍ୟ ଆନନ୍ଦପୁର ଓ ଆଖୁଆପଦା ଅଞ୍ଚଳରେ ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହୋଇଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

ବନ୍ୟା ପରିସ୍ଥିତି ସତ୍ତ୍ୱେ ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କୌଣସି ଲୋକ ଯେପରି ପ୍ରଭାବିତ ନହୁଅନ୍ତି, ସେଥିପାଇଁ ସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି। ଆବଶ୍ୟକ ପଡ଼ିଲେ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି। ତେବେ ଭଦ୍ରକ ଓ ଯାଜପୁର ଜିଲ୍ଲାରେ କିଛି ଚାଷଜମି ବନ୍ୟା ଜଳ ଯୋଗୁଁ ପ୍ରଭାବିତ ହୋଇଥିବା ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ସମ୍ପୃକ୍ତ ଜିଲ୍ଲା ପ୍ରଶାସନ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ବିଭାଗକୁ ପଠାଇବେ। ଆକଳନ ରିପୋର୍ଟ ମିଳିବା ପରେ ୨୪ ଘଣ୍ଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରଶାସନ ସହ ପୂର୍ବ ପ୍ରସ୍ତୁତି ବୈଠକ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁଙ୍କ ସୁରକ୍ଷା ଓ ଖାଦ୍ୟ ବ୍ୟବସ୍ଥା ପାଇଁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)