ପୂର୍ବତନ ସ୍ୱାସ୍ଥମନ୍ତ୍ରୀ ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ

ଖୋଲିବ କି ପୂର୍ବତନ ସ୍ୱାସ୍ଥମନ୍ତ୍ରୀଙ୍କ ହତ୍ୟା ଗୁମର। ସେଥିପାଇଁ ଆଜି ସକାଳୁ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ସରବାହାଲ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଥିଲେ। ନବଙ୍କ ପୁଅ ଓ ଝିଅଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୨ ଜଣିଆ ଟିମ ପଚରାଉଚରା କରିଥିଲେ। ପୂର୍ବରୁ ହାଜର ପାଇଁ ନୋଟିସ କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ହାଜର ନହୋଇ ଘରେ ବୟାନ ରେକର୍ଡ ପାଇଁ ମାଗିଥିଲେ ସମୟ।


ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରୁ ଇତିମଧ୍ୟରେ ୨ ବର୍ଷ ପୁରୁଛି। ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


ତେବେ ପୂର୍ବରୁ ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିଲେ ସ୍ୱର୍ଗତ ନବ ଦାସଙ୍କ ପରିବାର ଲୋକେ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଇ-ମେଲ କରିଥିଲେ ନବ ଦାସଙ୍କ ପତ୍ନୀ। ପ୍ରାୟ ୨ ମାସ ତଳେ ନବ ଦାସଙ୍କ ପୁଅ ଓ ଝିଅ ସିବିଆଇ ତଦନ୍ତ ଚାହୁଁଥିବା ନେଇ ଗଣମାଧ୍ୟମରେ କହିଥିଲେ। ସିବିଆଇ ତଦନ୍ତ ପାଇଁ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡିବ ବୋଲି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ପରେ ପରିବାର ପକ୍ଷରୁ ଏ ସମ୍ପର୍କରେ ଲିଖିତ ଆବେଦନ କରାଯାଇଛି । ଗତ ୧୧ ତାରିଖରେ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିବା ଖବର ମିଳିଛି । ଉକ୍ତ ଚିଠିରେ ଉଲ୍ଲେଖ ଅଛି ଯେ ସେ ସିବିଆଇ ତଦନ୍ତ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ତେବେ ଏହାରି ଭିତରେ ନବଙ୍କ ହତ୍ୟା ମାମଲାକୁ 2 ବର୍ଷ ବିତିଗଲାଣି ହେଲେ ଏବେବି ସନ୍ଦେହ ଘେରରେ ଅଛନ୍ତି ପରିବାର ଲୋକେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)