ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ର ୧୩୮ତମ ଏପିସୋଡ୍ରେ ଦେଶବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ବାଣ୍ଟିଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍, ଜନଗଣନା, ସାମାଜିକ କାର୍ଯ୍ୟ, ଐତିହ୍ୟ, ନିଶାମୁକ୍ତି ଅଭିଯାନ, ପୋଷଣ ଏବଂ ମହିଳା ସଶକ୍ତୀକରଣ ଭଳି ବିଭିନ୍ନ ବିଷୟ ତାଙ୍କ ସମ୍ବୋଧନରେ ସ୍ଥାନ ପାଇଥିଲା। ‘ମନ୍ କି ବାତ୍’ର ପୂର୍ବ ଏପିସୋଡ୍ଗୁଡ଼ିକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସରକାରୀ ୱେବସାଇଟ୍ରେ ଉପଲବ୍ଧ ଅଛି।
ସର୍ଜିକାଲ୍ ଷ୍ଟ୍ରାଇକ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୬ ମସିହା ସେପ୍ଟେମ୍ବର ୨୮-୨୯ ତାରିଖରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ ଅଞ୍ଚଳରେ ଆତଙ୍କବାଦୀ ଶିବିର ବିରୋଧରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। ତାଙ୍କ କହିବା ଅନୁସାରେ, ଏହି ଅଭିଯାନ ଭାରତର ଆତଙ୍କବାଦ ବିରୋଧୀ ନୀତିର ଏକ ଉଦାହରଣ ଥିଲା। ବାଲାକୋଟ ଏୟାରଷ୍ଟ୍ରାଇକ୍ଠାରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ବିଭିନ୍ନ ସାମରିକ କାର୍ଯ୍ୟାନୁଷ୍ଠାନର ଉଦାହରଣ ଦେଇ ଭାରତ ଆତଙ୍କବାଦ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଅନୁସରଣ କରୁଥିବା ସେ କହିଥିଲେ।
ଜନଗଣନାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସଚେତନ କରିଥିଲେ। ତାଙ୍କ ଅନୁସାରେ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରାୟ ସମାପ୍ତ ହୋଇଛି ଏବଂ ୩୨ କୋଟିରୁ ଅଧିକ ପରିବାରର ତଥ୍ୟ ରେକର୍ଡ କରାଯାଇଛି। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ମାନା ଗାଁରୁ ଜନଗଣନା ଆରମ୍ଭ ହୋଇଥିବା କଥା ଉଲ୍ଲେଖ କରି ଏହାକୁ ଏକ ଜାତୀୟ ଦାୟିତ୍ୱ ଭାବେ ନେବାକୁ ସେ ଆହ୍ୱାନ ଦେଇଥିଲେ।
ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଆନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଅଶୋକ ସିଂଘଲଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସିଂଘଲଙ୍କ ଜନ୍ମଶତବାର୍ଷିକୀ ଅବସରରେ ତାଙ୍କ ଜୀବନ ଓ ସାମାଜିକ ଅବଦାନ ବିଷୟରେ ମୋଦୀ ଉଲ୍ଲେଖ କରିଥିଲେ। ରାମ ଜନ୍ମଭୂମି ଆନ୍ଦୋଳନରେ ସିଂଘଲଙ୍କ ଭୂମିକା ଏବଂ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ସହ ଜଡ଼ିତ ପ୍ରସଙ୍ଗକୁ ମଧ୍ୟ ସେ ଉଠାଇଥିଲେ।
ଗୁଜରାଟର ମୋଧେରା ସୂର୍ଯ୍ୟ ମନ୍ଦିରର ଐତିହ୍ୟ ଓ ବର୍ତ୍ତମାନର ସୌର ଶକ୍ତି ବ୍ୟବହାରକୁ ନେଇ ମଧ୍ୟ ମୋଦୀ ଆଲୋଚନା କରିଥିଲେ। ତାଙ୍କ ଅନୁସାରେ, ଗଜନୀଙ୍କ ସୋମନାଥ ଆକ୍ରମଣ ସମୟରେ ମୋଧେରା ମନ୍ଦିର ମଧ୍ୟ ଆକ୍ରମଣର ସମ୍ମୁଖୀନ ହୋଇଥିଲା। ରାଜା ଭୀମଦେବଙ୍କ ସମୟରେ ନିର୍ମିତ ଏହି ଐତିହାସିକ ସ୍ଥାନ ଏବେ ଦେଶର ପ୍ରଥମ ସୌର ଗାଁ ଭାବେ ମଧ୍ୟ ପରିଚିତ ବୋଲି ସେ କହିଥିଲେ।
ଝାଡ଼ଖଣ୍ଡର ମହିଳାମାନଙ୍କ ଦ୍ୱାରା ସୁନ୍ଦରୀ ଜଙ୍ଗଲ ବିକଶିତ କରାଯାଉଥିବା ପ୍ରସଙ୍ଗକୁ ମଧ୍ୟ ‘ମନ୍ କି ବାତ୍’ରେ ସ୍ଥାନ ମିଳିଥିଲା। ଏହି ମହିଳାମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଥିବା କୁହାଯାଇଥିଲା। ପରେ ଏହି ମହିଳାମାନେ ସୁନ୍ଦରୀ ଜଙ୍ଗଲ ଲଗାଇବା ସହ ଏଥିରୁ ଜୀବିକା ଅର୍ଜନ କରୁଛନ୍ତି ଏବଂ ଜଙ୍ଗଲ ଗାଁ ପାଇଁ ପ୍ରାକୃତିକ ସୁରକ୍ଷା ବଳୟ ଭାବେ କାମ କରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ନିଶାମୁକ୍ତି ଅଭିଯାନକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଦେଶର ଲକ୍ଷ ଲକ୍ଷ ଯୁବକ ନିଶାଠାରୁ ଦୂରେଇ ରହିବା ଏବଂ ଏହା ବିରୋଧରେ ସଚେତନତା ବାର୍ତ୍ତା ପ୍ରସାର କରିବା ପାଇଁ ସଂକଳ୍ପ ନେଇଥିବା ସେ କହିଥିଲେ। ‘ନିଶାମୁକ୍ତ ଯୁବ ଅଭିଯାନ’ ୧୦୦ ସପ୍ତାହ ଧରି ଚାଲିବ ବୋଲି ସେ ଉଲ୍ଲେଖ କରିଥିଲେ।
କୁପୋଷଣ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ପଦକ୍ଷେପକୁ ମଧ୍ୟ ମୋଦୀ ଉଦାହରଣ ଭାବେ ରଖିଥିଲେ। ଛତିଶଗଡ଼ର ‘ହର ଘର ମୁଙ୍ଗା, ଘର-ଘର ମୁଙ୍ଗା’ ଅଭିଯାନ ମାଧ୍ୟମରେ ମୋରିଙ୍ଗା ବା ସଜନାକୁ ଖାଦ୍ୟରେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଗୁଜରାଟରେ ବାଜରା ଆଧାରିତ ଖାଦ୍ୟକୁ ନେଇ ପ୍ରତିଯୋଗିତା ଏବଂ ମିଜୋରାମରେ ପୁଷ୍ଟିକର ଗଛ ଲଗାଇବା ପାଇଁ ଅଭିଯାନ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ମହାରାଷ୍ଟ୍ରର ପ୍ରୟାସକୁ ମଧ୍ୟ ସେ ପ୍ରଶଂସା କରିଥିଲେ।
ଉତ୍ତରପ୍ରଦେଶର ପ୍ରତାପଗଡ଼ର ଅଂଳା ଚାଷ ଓ ପ୍ରକ୍ରିୟାକରଣକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ତାଙ୍କ ଅନୁସାରେ, ପ୍ରତାପଗଡ଼ରେ ପ୍ରାୟ ୧୦୦ଟି ଅଂଳା ପ୍ରକ୍ରିୟାକରଣ ୟୁନିଟ୍ କାର୍ଯ୍ୟ କରୁଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାମାନେ ଏଥିରେ ପ୍ରମୁଖ ଭୂମିକା ନେଉଛନ୍ତି। ଦେବଗଡ଼ କାମାସି ଗାଁର ଏକ ଗୋଷ୍ଠୀର ମହିଳାମାନେ ଅଂଳାରୁ କ୍ୟାଣ୍ଡି, ଜାମ୍ ଓ ଜୁସ୍ ପ୍ରସ୍ତୁତ କରୁଛନ୍ତି। ଓଡିଓପି ଅଧୀନରେ ନୂଆ ବଜାର ସୁଯୋଗ ମିଳିବା ପରେ ସେମାନଙ୍କ ଆୟ ବୃଦ୍ଧି ପାଇଥିବା କଥା ମଧ୍ୟ ମୋଦୀ ଉଲ୍ଲେଖ କରିଥିଲେ।













Leave a Reply