ଅନବସରରେ ଅଲାରନାଥଙ୍କ ଶରଣରେ ରାଜ୍ୟପାଳ ହରିବାବୁ! ବ୍ରହ୍ମଗିରି ମନ୍ଦିରରେ କଲେ ପବିତ୍ର ଦର୍ଶନ

ଅକ୍ଷର ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର ନୀତି ଚାଲିଥିବା ବେଳେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ବମପାଟି ଆଜି ପୁରୀ ଜିଲ୍ଲାର ବ୍ରହ୍ମଗିରିସ୍ଥିତ ପ୍ରସିଦ୍ଧ ଅଲାରନାଥ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି। ଅନବସରର ଅଷ୍ଟମ ଦିନରେ ତାଙ୍କର ଏହି ଗସ୍ତ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୧୨ଟା ସମୟରେ ରାଜ୍ୟପାଳ ଅଲାରନାଥ ମନ୍ଦିରରେ ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନ ଏବଂ ବ୍ରହ୍ମଗିରି ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ରାଜ୍ୟପାଳ ମନ୍ଦିରରେ ପ୍ରଭୁ ଅଲାରନାଥ, ମା’ ମହାଲକ୍ଷ୍ମୀ ଏବଂ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମନ୍ଦିରର ସେବାୟତମାନେ ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଅନବସର ନୀତି, ଅଲାରନାଥ ଦର୍ଶନର ଆଧ୍ୟାତ୍ମିକ ମହତ୍ତ୍ୱ ଏବଂ ଏହାର ପ୍ରାଚୀନ ପରମ୍ପରା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।

ଶ୍ରୀଜଗନ୍ନାଥଙ୍କ ଅନବସର ସମୟରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହୁଥିବାରୁ ହଜାର ହଜାର ଭକ୍ତ ଅଲାରନାଥଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରତିରୂପ ଭାବେ ଦର୍ଶନ କରି ପୁଣ୍ୟ ଲାଭ କରିଥାନ୍ତି। ଏହି କାରଣରୁ ଅନବସର ସମୟରେ ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହୁଏ। ରାଜ୍ୟପାଳଙ୍କ ଏହି ପବିତ୍ର ଦର୍ଶନ ଅନବସର ସମୟର ଧାର୍ମିକ ମହତ୍ତ୍ୱକୁ ଆହୁରି ଉଜାଗର କରିଥିବା ବେଳେ, ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)