କେନ୍ଦୁଝର: ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଉଭୟ ବାଇକ୍ରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘସିପୁରା ଥାନା ଅନ୍ତର୍ଗତ ଜଳସୁଆଁ ପାଟଣା ଗାଁ ନିକଟସ୍ଥ ନଦୀବନ୍ଧ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା।
ସୂଚନା ଅନୁସାରେ, ଜଳସୁଆଁ ପାଟଣା ଗାଁର ଶତ୍ରୁଘ୍ନ ରାଉତ ତାଙ୍କ ପୁଅ ଓ ସ୍ତ୍ରୀଙ୍କୁ ନେଇ ଦେଓଗାଁରୁ ନିଜ ଘରକୁ ଫେରୁଥିଲେ। ଗାଁ ନିକଟସ୍ଥ ନଦୀବନ୍ଧ ରାସ୍ତାରେ ସେମାନେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ତାଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ, ଉଭୟ ବାଇକ୍ରେ ଥିବା ୪ ଜଣ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବାଇକ୍କୁ ଜବତ କରିଛି। ଦୁର୍ଘଟଣା କିପରି ଘଟିଲା ଏବଂ କାହାର ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।












Leave a Reply