ଅକ୍ଷର ବ୍ୟୁରୋ: ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମିଥିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଜି ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲିଠାରୁ ବର୍ଷାର ପ୍ରଭାବ ଧୀରେ ଧୀରେ କମିବ। ତେବେ ଆସନ୍ତାକାଲି ସକାଳ ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ବଳବତ୍ତର ରହିବ।
ଏପଟେ ଚଳିତ ମୌସୁମୀ ଋତୁରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବର୍ଷା ପରିସ୍ଥିତିରେ ବଡ଼ ପରିବର୍ତ୍ତନ ଆସିଛି। ଜୁନ୍ ମାସରେ ଥିବା ୪୭ ପ୍ରତିଶତ ବର୍ଷା ନିଅଣ୍ଟକୁ ଏହି ବର୍ଷା ପ୍ରାୟ ଭରଣ କରିଛି। ୧ ଜୁନରୁ ୬ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩୨୩.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ପରିମାଣ ୨୬୫.୮ ମିଲିମିଟର ଥିଲା। ଅର୍ଥାତ୍ ସ୍ୱାଭାବିକଠାରୁ ୨୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି, ଯାହା ଚାଷ ଓ ଜଳଭଣ୍ଡାର ପାଇଁ ସକାରାତ୍ମକ ସଙ୍କେତ ବୋଲି ବିବେଚନା କରାଯାଉଛି। ତେବେ ପଶ୍ଚିମ ଓଡ଼ିଶାରେ ଆଜି ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ସହରାଞ୍ଚଳରେ ଜଳଜମା ଏବଂ ନଦୀନାଳର ଜଳସ୍ତର ବୃଦ୍ଧିକୁ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
















Leave a Reply