ଶେଷ ଇଚ୍ଛା ଥିଲା ଜଗା ଦର୍ଶନ… ଚାଦରରେ ବୋହି ବୋହି ମା’ଙ୍କୁ ପତିତପାବନଙ୍କ ସମ୍ମୁଖରେ ପହଞ୍ଚାଇଲେ ପରିବାର

ପୁରୀ: ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ କେତେ ଗଭୀର, ତାହାର ଏକ ଭାବପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ। ଶରୀର ସାଥ୍ ଦେଉନଥିଲା, ଚାଲିବାର ଶକ୍ତି ବି ନଥିଲା। କିନ୍ତୁ ମନରେ ଥିଲା କାଳିଆ ସାଆନ୍ତଙ୍କୁ ଥରୁଟିଏ ଦେଖିବାର ଅଦମ୍ୟ ଇଚ୍ଛା। ଜୀବନର ଅନ୍ତିମ ପର୍ଯ୍ୟାୟରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ବ୍ୟାକୁଳ ହୋଇପଡ଼ିଥିଲେ ଜଣେ ବୃଦ୍ଧା ମା’। ବୃଦ୍ଧାଙ୍କ ମନରେ ଥିଲା ଏକ ଶେଷ ଇଚ୍ଛା—ମରିବା ପୂର୍ବରୁ ଥରେ ଜଗା ଦର୍ଶନ କରିବେ। ଶରୀରରେ ବଳ ନଥିବାରୁ ନିଜେ ଚାଲି ଶ୍ରୀମନ୍ଦିର ନିକଟକୁ ଯିବା ସମ୍ଭବ ନଥିଲା। ତଥାପି ମା’ଙ୍କ ଏହି ଇଚ୍ଛାକୁ ପୂରଣ କରିବା ପାଇଁ ପରିବାର ଲୋକେ ତାଙ୍କୁ ସାଙ୍ଗରେ ନେଇ ଆସିଥିଲେ।

ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ବୃଦ୍ଧାଙ୍କୁ ନେବା ପାଇଁ ହୁଇଲ୍ ଚେୟାର କିମ୍ବା ଷ୍ଟ୍ରେଚର ନମିଳିବାରୁ ପରିବାର ଲୋକେ ଏକ ଚାଦରରେ ତାଙ୍କୁ ବୋହି ବୋହି ନେଇଥିଲେ। ଶେଷରେ ମା’ଙ୍କୁ ପତିତପାବନଙ୍କ ସମ୍ମୁଖରେ ପହଞ୍ଚାଇଥିଲେ ପରିବାର ସଦସ୍ୟ। ଏହି ଦୃଶ୍ୟ ଦେଖିବାକୁ ମିଳିବା ପରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ମଧ୍ୟ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ଶରୀର ଦୁର୍ବଳ ହୋଇଯାଇଥିଲେ ବି ମହାପ୍ରଭୁଙ୍କୁ ଦେଖିବାର ଆଶା କିପରି ଭକ୍ତିକୁ ଆହୁରି ଦୃଢ଼ କରିପାରେ, ଏହି ଘଟଣା ତାହାର ଏକ ନିଆରା ନିଦର୍ଶନ ପାଲଟିଛି। ବୟସର ଅପରାହ୍ନରେ ଶରୀର ସାଥ୍ ଛାଡ଼ିଦେଇଥିଲା। ଚାଲିବାର ଶକ୍ତି ନଥିଲା। ହେଲେ ମନରେ କାଳିଆ ସାଆନ୍ତଙ୍କୁ ଦେଖିବାର ଆଶା ଟିକିଏ ବି କମିନଥିଲା। ଜୀବନର ଅନ୍ତିମ ସମୟରେ ଥରୁଟିଏ ପତିତପାବନଙ୍କ ମୁହଁ ଦେଖିବା ପାଇଁ ତାଙ୍କର ଏହି ବ୍ୟାକୁଳତା ଭକ୍ତ ଓ ଭଗବାନଙ୍କ ଅତୁଟ ସମ୍ପର୍କର ଏକ ଭାବପୂର୍ଣ୍ଣ ଚିତ୍ର ଆଙ୍କିଛି। ମା’ଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ପରିବାରର ଏହି ପ୍ରୟାସ ଏବେ ଭକ୍ତି ଓ ପାରିବାରିକ ସ୍ନେହର ଏକ ହୃଦୟସ୍ପର୍ଶୀ ଉଦାହରଣ ପାଲଟିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial