ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ଭାରତ ଓ ରୁଷିଆ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଆସନ୍ତା ସେପ୍ଟେମ୍ବର ୧୧ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାକ୍ଷାତ କରିବେ। ସେପ୍ଟେମ୍ବର ୧୨ ଓ ୧୩ରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ, ତା’ପୂର୍ବରୁ ଦୁଇ ନେତାଙ୍କ ବୈଠକକୁ ନେଇ ବଢ଼ିଛି ଚର୍ଚ୍ଚା।
ମୋଦୀ-ପୁଟିନଙ୍କ ଆଲୋଚନାରେ ଭାରତ-ରୁଷିଆ ଦ୍ୱିପାକ୍ଷିକ ସମ୍ପର୍କ ସହ ବ୍ୟବସାୟ ଓ ଆର୍ଥିକ ସହଯୋଗ ନେଇ ବିସ୍ତୃତ ଚର୍ଚ୍ଚା ହେବ। ଏହାସହ ରୁଷିଆର Su-57 ଯୁଦ୍ଧବିମାନ ଭାରତକୁ ବିକ୍ରି ଏବଂ ଏହା ସହିତ ଟେକ୍ନୋଲୋଜି ଟ୍ରାନ୍ସଫର ନେଇ ମଧ୍ୟ ଆଲୋଚନା ହୋଇପାରେ। ଭାରତ-ରୁଷିଆ ପରମାଣୁ ଶକ୍ତି ସହଯୋଗ ମଧ୍ୟ ବୈଠକର ଏକ ପ୍ରମୁଖ ବିଷୟ ହୋଇପାରେ। ରୁଷିଆ ଭାରତରେ ନୂଆ ପରମାଣୁ ବିଦ୍ୟୁତ କେନ୍ଦ୍ର ସ୍ଥାପନ ନେଇ ଆଗକୁ ଆଲୋଚନା କରିବାକୁ ଚାହୁଁଥିବା କ୍ରେମଲିନ୍ ପକ୍ଷରୁ କୁହାଯାଇଛି।
ଦୁଇ ଦେଶ ମଧ୍ୟରେ ଦୁର୍ଲଭ ଖଣିଜ ସମ୍ପଦ ଏବଂ ଅନ୍ୟ ଉଦୀୟମାନ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ଅର୍ଥନୈତିକ ଓ ରଣନୈତିକ ସହଯୋଗକୁ ଆହୁରି ମଜବୁତ କରିବା ଦିଗରେ ବୈଠକ ଗୁରୁତ୍ୱ ବହନ କରିପାରେ। ମୋଦୀ-ପୁଟିନଙ୍କ ଆଲୋଚନାରେ ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ। ଅଗଷ୍ଟ ୩୧ରେ SCO ସମ୍ମିଳନୀ ଅବସରରେ ମୋଦୀ ଓ ପୁଟିନଙ୍କ ଶେଷ ବୈଠକରେ ୟୁକ୍ରେନ ଓ ପଶ୍ଚିମ ଏସିଆ ସଂଘର୍ଷ ସମେତ ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ସଂଘର୍ଷର ସମାଧାନ ପାଇଁ ଆଲୋଚନା ଓ କୂଟନୀତିକୁ ଆଗକୁ ନେବା ଉପରେ ଜୋର ଦେଇଥିଲେ।













Leave a Reply