ଅକ୍ଷର ବ୍ୟୁରୋ: ଦୁବାଇରୁ ଇସ୍ରାଏଲ୍ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନରେ ମଝି-ଆକାଶରେ ଘଟିଥିବା ଅପହରଣ ଉଦ୍ୟମକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିମାନର କୋ-ପାଇଲଟ୍ ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମାଚ୍ଛରଙ୍କୁ ଛୁରିରେ ଆକ୍ରମଣ କରିବା ପରେ ପରିସ୍ଥିତି ଗୁରୁତର ହୋଇପଡ଼ିଥିଲା। ତଥାପି ଆହତ ଅବସ୍ଥାରେ କ୍ୟାପ୍ଟେନ୍ଙ୍କ ତତ୍ପରତା, କିଛି ଇସ୍ରାଏଲୀ ଯାତ୍ରୀଙ୍କ ସାହସ ଏବଂ କ୍ରୁ ସଦସ୍ୟଙ୍କ ହସ୍ତକ୍ଷେପ ଯୋଗୁଁ ବଡ଼ ବିପଦ ଟଳିଥିବା ସୂଚନା ମିଳିଛି।
ଦୁବାଇରୁ ପ୍ରାୟ ୧୮୦ ଜଣଙ୍କୁ ନେଇ ଉଡ଼ାଣ ଭରିଥିବା ଫ୍ଲାଇଦୁବାଇ ଫ୍ଲାଇଟ୍ ୧୦୭୩ରେ ବହୁ ସଂଖ୍ୟାରେ ଇସ୍ରାଏଲୀ ନାଗରିକ ଥିଲେ। ଉଡ଼ାଣ ସମୟରେ ଓମାନୀ କୋ-ପାଇଲଟ୍ ହଠାତ୍ ମୁଖ୍ୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମାଚ୍ଛରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କୋ-ପାଇଲଟ୍ ବିମାନକୁ ନିୟନ୍ତ୍ରଣରୁ ବାହାରକୁ ନେଇ ଦୁର୍ଘଟଣା ଘଟାଇବାକୁ ଚେଷ୍ଟା କରୁଥିବା ସୂଚନା ମଧ୍ୟ ଆସିଛି। ଆକ୍ରମଣରେ ଗୁରୁତର ଆହତ ହେବା ସତ୍ତ୍ୱେ କ୍ୟାପ୍ଟେନ୍ ସ୍ମିତ୍ କକ୍ପିଟ୍ର ସୁରକ୍ଷା ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ବିମାନ ହଠାତ୍ ତଳକୁ ଢଳିବା ଦେଖି କିଛି ଇସ୍ରାଏଲୀ ଯାତ୍ରୀ କକ୍ପିଟ୍ ଭିତରକୁ ପହଞ୍ଚି କୋ-ପାଇଲଟ୍ଙ୍କୁ କାବୁ କରିଥିବା ସୂଚନା ମିଳିଛି। ପରେ ଅନ୍ୟ କ୍ରୁ ସଦସ୍ୟ ଓ ଜଣେ ଅଫ୍-ଡ୍ୟୁଟି ପାଇଲଟ୍ ବିମାନର ନିୟନ୍ତ୍ରଣ ସମ୍ଭାଳିଥିଲେ।
ସ୍ଥିତି ଗୁରୁତର ଥିବାରୁ ବିମାନକୁ ଉତ୍ତର ସାଉଦି ଆରବର ତବୁକ୍ ବିମାନବନ୍ଦର ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ସେଠାରେ ଜରୁରୀ ଅବତରଣ କରାଯିବା ପରେ ବିମାନରେ ଥିବା ଜଣେ ଡାକ୍ତର ଯାତ୍ରୀ ଆହତ କ୍ୟାପ୍ଟେନ୍ଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଥିବା ସୂଚନା ରହିଛି। ଏପଟେ ସାଉଦି ସୁରକ୍ଷା ବାହିନୀ କୋ-ପାଇଲଟ୍ଙ୍କୁ ଗିରଫ କରି ପଚରାଉଚରା କରୁଥିବା ଜଣାପଡ଼ିଛି। ପରେ ତବୁକ୍ରୁ ଏକ ସ୍ୱତନ୍ତ୍ର ବିମାନରେ ୧୭୪ରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତେଲ୍ ଆଭିଭ୍କୁ ଫେରାଇ ଅଣାଯାଇଥିଲା। ବେନ୍ ଗୁରିଅନ୍ ବିମାନବନ୍ଦରରେ ପହଞ୍ଚିବା ପରେ ପରିବାରଲୋକଙ୍କୁ ଦେଖି ଅନେକ ଯାତ୍ରୀ ଭାବବିହ୍ବଳ ହୋଇପଡ଼ିଥିଲେ। ପରସ୍ପରକୁ ଆଲିଙ୍ଗନ କରିବା ସହ ଗୀତ ଗାଇ ଜୀବନ ବଞ୍ଚିଯାଇଥିବାର ଖୁସି ପ୍ରକାଶ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି।
ଭାରତୀୟ କ୍ୟାପ୍ଟେନ୍ଙ୍କୁ ଇସ୍ରାଏଲ୍ର ପ୍ରଶଂସା
ଘଟଣା ପରେ ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମାଚ୍ଛରଙ୍କ ସାହସକୁ ଇସ୍ରାଏଲ୍ ବୈଦେଶିକ ମନ୍ତ୍ରଣାଳୟ ପ୍ରଶଂସା କରିଛି। କକ୍ପିଟ୍ରେ ଆକ୍ରମଣର ଶିକାର ହେବା ସତ୍ତ୍ୱେ ସେ ହାର ନମାନି ଦ୍ୱାର ଅନଲକ୍ କରିଥିବାରୁ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ହସ୍ତକ୍ଷେପ କରିବାର ସୁଯୋଗ ପାଇଥିବା କହି ତାଙ୍କୁ ‘ହିରୋ’ ଭାବେ ସମ୍ବୋଧନ କରିଛି ମନ୍ତ୍ରଣାଳୟ। ଭାରତୀୟ କ୍ୟାପ୍ଟେନ୍, ଇସ୍ରାଏଲୀ ଯାତ୍ରୀ ଏବଂ ଏମିରାତି କ୍ରୁ ସଦସ୍ୟଙ୍କ ସାହସିକ ପଦକ୍ଷେପ ଯୋଗୁଁ ବିମାନରେ ଥିବା ୧୭୪ ଜଣଙ୍କ ଜୀବନ ରକ୍ଷା ପାଇଥିବା ଇସ୍ରାଏଲ୍ ବୈଦେଶିକ ମନ୍ତ୍ରଣାଳୟ କହିଛି। ଏଥିସହ ଆହତ କ୍ୟାପ୍ଟେନ୍ ସ୍ମିତ୍ ମାଚ୍ଛରଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ସୁସ୍ଥତା କାମନା କରିଛି ମନ୍ତ୍ରଣାଳୟ।













Leave a Reply