ମିଆଁମାର: ମିଆଁମାରର ପଶ୍ଚିମ ରଖାଇନ୍ ରାଜ୍ୟର କ୍ୟାଉକ୍ତାଉ ଟାଉନସିପ୍ରେ ଏକ ବଜାର ନିକଟରେ ଭୟଙ୍କର ଏୟାରଷ୍ଟ୍ରାଇକ୍ରେ ବ୍ୟାପକ ମୃତାହତ ହୋଇଛି। ଆରାକାନ୍ ଆର୍ମି ଓ ସ୍ଥାନୀୟ ଉଦ୍ଧାରକାରୀଙ୍କ ତଥ୍ୟ ଅନୁସାରେ, ସୋମବାର ହୋଇଥିବା ଏହି ଆକ୍ରମଣରେ ଅତି କମରେ ୪୯ ଜଣଙ୍କ ମୃତ୍ୟୁ ଓ ୫୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ବୋଲି ରିପୋର୍ଟ ହୋଇଛି। ଆରାକାନ୍ ଆର୍ମିର ଦାବି ଅନୁସାରେ, ଅପରାହ୍ଣ ସମୟରେ ଏକ ଯୁଦ୍ଧବିମାନ ବଜାର ନିକଟରେ ଦୁଇଟି ବୋମା ପକାଇଥିଲା। ଆକ୍ରମଣ ସମୟରେ ବଜାରରେ ବ୍ୟବସାୟୀ, କ୍ରେତା ଓ ପଥଚାରୀଙ୍କ ଭିଡ଼ ଥିଲା। ଏହି ବଜାରଟି ରଖାଇନ୍ ଅଞ୍ଚଳର ଏକ ପ୍ରମୁଖ ପାଇକାରୀ ବଜାର ହୋଇଥିବାରୁ ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଓ କ୍ରେତା ଏଠାକୁ ଆସୁଥିଲେ।
ଘଟଣା ପରେ ସ୍ଥାନୀୟ ଉଦ୍ଧାରକାରୀ ଦଳ ପକ୍ଷରୁ ମଧ୍ୟ ମୃତାହତଙ୍କ ସଂଖ୍ୟା ସମ୍ପର୍କରେ ତଥ୍ୟ ଦିଆଯାଇଛି। ପ୍ରାଥମିକ ରିପୋର୍ଟରେ ମୃତାହତଙ୍କ ସଂଖ୍ୟା କମ୍ ଥିଲା, ପରେ ଉଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବା ସହ ମୃତ୍ୟୁସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ତେବେ ଘଟଣାର ସମସ୍ତ ବିବରଣୀ ସ୍ୱାଧୀନ ଭାବେ ତତ୍କାଳ ସତ୍ୟାପିତ ହୋଇପାରିନଥିବା ରିପୋର୍ଟରେ କୁହାଯାଇଛି। ମିଆଁମାର ସେନା ପକ୍ଷରୁ ମଧ୍ୟ ତତ୍କାଳ କୌଣସି ପ୍ରତିକ୍ରିୟା ମିଳିନଥିଲା।
କ୍ୟାଉକ୍ତାଉ ଅଞ୍ଚଳ ବର୍ତ୍ତମାନ ଆରାକାନ୍ ଆର୍ମିର ନିୟନ୍ତ୍ରଣରେ ରହିଛି। ଏହି ଜାତିଗତ ସଶସ୍ତ୍ର ଗୋଷ୍ଠୀ ରଖାଇନ୍ ଅଞ୍ଚଳର ସ୍ୱାୟତ୍ତତା ପାଇଁ ଲଢ଼େଇ କରୁଛି। ଆକ୍ରମଣ ପରେ ଆରାକାନ୍ ଆର୍ମି ପକ୍ଷରୁ ପ୍ରତିଆକ୍ରମଣର ଚେତାବନୀ ଦିଆଯାଇଥିବା ରିପୋର୍ଟ ରହିଛି। ମିଆଁମାରରେ ୨୦୨୧ ଫେବ୍ରୁଆରୀ ୧ରେ ସେନା କ୍ଷମତା ଦଖଲ କରିବା ପରଠାରୁ ଦେଶରେ ରାଜନୈତିକ ସଙ୍କଟ ଓ ସଶସ୍ତ୍ର ସଂଘର୍ଷ ଜାରି ରହିଛି। ରଖାଇନ୍ ଏହି ସଂଘର୍ଷର ଅନ୍ୟତମ ପ୍ରମୁଖ କେନ୍ଦ୍ର ପାଲଟିଛି। ତାଜା ଏୟାରଷ୍ଟ୍ରାଇକ୍ ଏହି ଅଞ୍ଚଳରେ ଚାଲିଥିବା ଦୀର୍ଘ ସଂଘର୍ଷ ଓ ମାନବିକ ସଙ୍କଟକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।













Leave a Reply