ବସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା; ଟ୍ରକ୍‌କୁ ପଛରୁ ପିଟିଲା ତୀର୍ଥଯାତ୍ରୀ ମିନି ବସ୍, ୧୬ ଗୁରୁତର

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁଣ୍ତୁପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଏକ ତୀର୍ଥଯାତ୍ରୀ ବୋଝେଇ ମିନି ବସ୍ ଜୋରଦାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୬ ଜଣ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀମାନେ ପୁରୀରେ ଦର୍ଶନ ସାରି ପଶ୍ଚିମବଙ୍ଗର ନିଜ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। କୌଣସି କାରଣରୁ ରାସ୍ତା କଡ଼ରେ ଅଟକିଥିବା ଟ୍ରକ୍‌କୁ ଚାଳକ ଠିକ୍ ସମୟରେ ଦେଖିପାରି ନଥିବାରୁ ମିନି ବସ୍‌ଟି ସିଧା ପଛପଟୁ ଧକ୍କା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଦୁର୍ଘଟଣାର ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ବସ୍‌ରେ ଫସିଥିବା ଯାତ୍ରୀମାନଙ୍କୁ ବାହାର କରି ଗୁରୁତର ଆହତମାନଙ୍କୁ ନିକଟସ୍ଥ ହସପିଟାଲକୁ ପଠାଇଥିଲେ। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇ ସ୍ଥିତି ସ୍ୱାଭାବିକ କରିଥିଲା। ପୋଲିସ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଥିବାବେଳେ ଟ୍ରକ୍‌ଟି ରାସ୍ତା କଡ଼ରେ କାହିଁକି ଛିଡ଼ା ହୋଇଥିଲା ଏବଂ ଦୁର୍ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)