‘ଭାରତ ସ୍ମିତ୍ ମାଚ୍ଛରଙ୍କ ପାଇଁ ଗର୍ବିତ’, ସାହସୀ ପାଇଲଟଙ୍କୁ ମୋଦିଙ୍କ ସଲାମ

ନୂଆଦିଲ୍ଲୀ: ଫ୍ଲାଇଦୁବାଇ ବିମାନରେ ଘଟିଥିବା ମଝିଆକାଶ ଘଟଣା ସମୟରେ ସାହସ ଦେଖାଇଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚ୍ଛରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। Xରେ ଏକ ପୋଷ୍ଟ କରି ମୋଦି କହିଛନ୍ତି ଯେ ଗୁରୁତର ଆହତ ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ଜୀବନ ସୁରକ୍ଷା ପାଇଁ କ୍ୟାପଟେନ୍ ମାଚ୍ଛରଙ୍କ ଦୃଢ଼ ସଂକଳ୍ପ ଓ ସାହସ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇବାରେ ସହାୟକ ହୋଇଥିଲା।

ପ୍ରଧାନମନ୍ତ୍ରୀ ମାଚ୍ଛରଙ୍କୁ ‘ହିରୋ’ ଭାବେ ଉଲ୍ଲେଖ କରିବା ସହ ତାଙ୍କ ପାଇଁ ଭାରତ ଗର୍ବିତ ବୋଲି କହିଛନ୍ତି। ଏଥିସହ ତାଙ୍କ ଶୀଘ୍ର ଆରୋଗ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ନୂଆ ଶକ୍ତି ସହ ଫେରିବା ପାଇଁ ପ୍ରାର୍ଥନା କରିଛନ୍ତି। ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ୍ ଆଭିଭ୍‌ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନର କକପିଟ୍‌ରେ ପାଇଲଟ୍‌ମାନଙ୍କ ମଧ୍ୟରେ ଗୁରୁତର ଘଟଣା ଘଟିଥିଲା। ରିପୋର୍ଟ ଅନୁସାରେ, କୋ-ପାଇଲଟ୍ କ୍ୟାପଟେନ୍ ମାଚ୍ଛରଙ୍କୁ ଆକ୍ରମଣ କରିଥିଲେ ଏବଂ ବିମାନ ହଠାତ୍ ଉଚ୍ଚତା ହରାଇଥିଲା। ଏହାପରେ ବିମାନକୁ ସାଉଦି ଆରବର ତାବୁକ୍‌କୁ ଡାଇଭର୍ଟ କରାଯାଇ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା।

ରିପୋର୍ଟ ଅନୁସାରେ, ଗୁରୁତର ଆହତ ଅବସ୍ଥାରେ ମଧ୍ୟ କ୍ୟାପଟେନ୍ ମାଚ୍ଛର କକପିଟ୍‌ର ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହାପରେ ଯାତ୍ରୀ ଓ ଅନ୍ୟ କ୍ରୁ ସଦସ୍ୟମାନେ କକପିଟ୍‌ରେ ପ୍ରବେଶ କରି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାରେ ସହାୟତା କରିଥିଲେ। ବିମାନରେ ୧୭୪ ଜଣ ଥିବା ରଏଟର୍ସ ସମେତ ଅନ୍ୟ ରିପୋର୍ଟରେ ଉଲ୍ଲେଖ ହୋଇଛି। କ୍ୟାପଟେନ୍ ସ୍ମିତ୍ ମାଚ୍ଛର ଜଣେ ଭାରତୀୟ ନାଗରିକ ଏବଂ ୨୦୨୨ରୁ ଫ୍ଲାଇଦୁବାଇରେ କ୍ୟାପଟେନ୍ ଭାବେ କାର୍ଯ୍ୟ କରୁଥିବା ରିପୋର୍ଟରୁ ଜଣାପଡ଼ିଛି। ଏହାପୂର୍ବରୁ ସେ ସ୍ପାଇସ୍‌ଜେଟ୍‌ରେ ମଧ୍ୟ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ତାବୁକ୍‌ର ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ରିପୋର୍ଟ ହୋଇଛି। ଘଟଣାର ସଠିକ୍ କାରଣ ଓ ଘଟଣାକ୍ରମ ନେଇ ତଦନ୍ତ ଜାରି ରହିଛି। ତେଣୁ ଆକ୍ରମଣର ଉଦ୍ଦେଶ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍କର୍ଷ ସାମ୍ନାକୁ ଆସିନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial