ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ (UNGA)ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଭାଷଣ ପରେ ଭାରତ ‘ରାଇଟ୍ ଅଫ୍ ରିପ୍ଲାଏ’ ବ୍ୟବହାର କରି ତୀବ୍ର ପ୍ରତିକ୍ରିୟା ଦେଇଛି। ଜାତିସଂଘରେ ଭାରତୀୟ ସ୍ଥାୟୀ ମିଶନର ପ୍ରଥମ ସଚିବ ପେଟାଲ ଗହଲୋତ ପାକିସ୍ତାନର ମନ୍ତବ୍ୟକୁ ସମାଲୋଚନା କରି ଆତଙ୍କବାଦ, ଜମ୍ମୁ-କାଶ୍ମୀର ଏବଂ ପାକିସ୍ତାନର ରାଜନୈତିକ ବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି।
ଗହଲୋତଙ୍କ ପ୍ରତିକ୍ରିୟାରେ ଓସାମା ବିନ୍ ଲାଦେନ୍ର ଉଦାହରଣ ମଧ୍ୟ ଆସିଛି। ସେ କହିଛନ୍ତି, ୯/୧୧ ଆତଙ୍କବାଦୀ ଆକ୍ରମଣର ୨୫ ବର୍ଷ ପୂର୍ତ୍ତିକୁ ବିଶ୍ୱ ସ୍ମରଣ କରିବାର କିଛି ସମୟ ପରେ ପାକିସ୍ତାନ ପକ୍ଷରୁ ଏଭଳି ମନ୍ତବ୍ୟ ଆସିଛି। ଗହଲୋତ ମନେ ପକାଇ ଦେଇଛନ୍ତି ଯେ ଓସାମା ବିନ୍ ଲାଦେନ୍ ପାକିସ୍ତାନର ଆବୋଟାବାଦରେ, ସେଠାର ସାମରିକ ଏକାଡେମୀ ନିକଟରେ ରହୁଥିଲା। ଭାରତୀୟ ପକ୍ଷରୁ ପାକିସ୍ତାନର ଦୀର୍ଘଦିନର ସୀମାପାର ଆତଙ୍କବାଦ ନୀତିକୁ ନେଇ ମଧ୍ୟ ଆପତ୍ତି ଉଠାଯାଇଛି। ଗହଲୋତ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଭାରତ ନିଜର ଆତ୍ମରକ୍ଷା ଅଧିକାର ବ୍ୟବହାର କରିବ ଏବଂ ଆତଙ୍କବାଦର ପରିଣାମ ରହିବ। ଜମ୍ମୁ-କାଶ୍ମୀର ସମ୍ପର୍କରେ ପାକିସ୍ତାନର ଦାବିକୁ ମଧ୍ୟ ଭାରତ ପ୍ରତ୍ୟାଖ୍ୟାନ କରିଛି।
ପାକିସ୍ତାନର ରାଜନୈତିକ ବ୍ୟବସ୍ଥାକୁ ନେଇ ମଧ୍ୟ ଭାରତ ପ୍ରଶ୍ନ ଉଠାଇଛି। ଗହଲୋତ ତାଙ୍କ ଉତ୍ତରରେ ‘Form 47 government’ ଶବ୍ଦର ଉଲ୍ଲେଖ କରିଥିଲେ। ଏହି ଶବ୍ଦଟି ପାକିସ୍ତାନର ବିରୋଧୀ ରାଜନୈତିକ ମହଲରେ ବର୍ତ୍ତମାନ ସରକାରର ନିର୍ବାଚନୀ ବୈଧତାକୁ ନେଇ ବ୍ୟବହାର କରାଯାଉଥିବା ଏକ ରାଜନୈତିକ ଅଭିବ୍ୟକ୍ତି। ଭାରତ ଏହାକୁ ଉଦାହରଣ ଭାବେ ରଖି ପାକିସ୍ତାନର ଗଣତାନ୍ତ୍ରିକ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି। ପାକିସ୍ତାନ ତାହାର ଆନ୍ତର୍ଜାତିକ ମଞ୍ଚରେ ଭାରତ ସହ ସମ୍ପର୍କିତ ପ୍ରସଙ୍ଗ ଉଠାଇବା ଜାରି ରଖିଥିବା ବେଳେ, UNGAରେ ଭାରତର ଏହି ପ୍ରତିକ୍ରିୟା ଦୁଇ ଦେଶ ମଧ୍ୟରେ କୂଟନୈତିକ ବାକ୍ଯୁଦ୍ଧକୁ ପୁଣି ଚର୍ଚ୍ଚାରେ ଆଣିଛି।













Leave a Reply