ଜାତିସଂଘ ମଞ୍ଚରୁ ଆତଙ୍କବାଦକୁ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦର ୮୧ତମ ଅଧିବେଶନରେ ଆତଙ୍କବାଦ ଓ ଗଲ୍ଫ ଅଞ୍ଚଳରେ ଚାଲିଥିବା ସଂଘର୍ଷକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଆତଙ୍କବାଦକୁ କୌଣସି ଯୁକ୍ତି ଦେଇ ସ୍ୱାଭାବିକ ବୋଲି ଦର୍ଶାଇ ହେବ ନାହିଁ ଏବଂ ଆତଙ୍କବାଦ ବିରୋଧରେ ଭାରତ ନିଜକୁ ରକ୍ଷା କରିବାର ଅଧିକାର ପ୍ରୟୋଗ କରିବ ବୋଲି ସେ କହିଛନ୍ତି। ଜୟଶଙ୍କର କହିଛନ୍ତି, ଜାତିସଂଘ ମଞ୍ଚରେ ଆତଙ୍କବାଦରେ ବାରମ୍ବାର ଲିପ୍ତ ଥିବା ଏକ ଦେଶ ତଥ୍ୟକୁ ଭୁଲ୍‌ ଭାବେ ଉପସ୍ଥାପନ କରିଛି। ଆତଙ୍କବାଦକୁ ସ୍ୱାଭାବିକ ଦର୍ଶାଇବା ସହ ଏହାର ପରିଣାମରୁ ନିଜକୁ ମୁକ୍ତ ରଖିବା ପାଇଁ ଯେଉଁ ଯୁକ୍ତି ଦିଆଯାଉଛି, ତାହା ଗ୍ରହଣୀୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆତଙ୍କବାଦ ସହ ବନ୍ଧୁତା ଓ ସଦ୍ଭାବନା ଏକାସାଙ୍ଗରେ ଚାଲିପାରିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି। ତେଣୁ ଆତଙ୍କବାଦରେ ଲିପ୍ତ ଥିବା ପକ୍ଷକୁ ନିଜ ଆଚରଣ ବଦଳାଇବାକୁ ପଡ଼ିବ ବୋଲି ସେ ମତ ରଖିଛନ୍ତି। ଏହାସହ ଗଲ୍ଫ ଅଞ୍ଚଳରେ ଚାଲିଥିବା ସଂଘର୍ଷ ଏବଂ ଏହାର ବିଶ୍ୱବ୍ୟାପୀ ପ୍ରଭାବକୁ ନେଇ ମଧ୍ୟ ଭାରତ ଚିନ୍ତା ପ୍ରକାଶ କରିଛି। ସଂଘର୍ଷଠାରୁ ବହୁ ଦୂରରେ ଥିବା ଦେଶଗୁଡ଼ିକ ମଧ୍ୟ କୌଣସି ଦୋଷ ନଥାଇ ଏହାର ପରିଣାମ ଭୋଗୁଛନ୍ତି। ଅଥଚ ସବୁଠାରୁ ଅଧିକ ପ୍ରଭାବିତ ଦେଶଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟାରେ ସ୍ୱର ଅପେକ୍ଷାକୃତ କମ୍ ରହୁଛି ବୋଲି ଜୟଶଙ୍କର ଉଲ୍ଲେଖ କରିଛନ୍ତି।

ଅନ୍ତର୍ଜାତୀୟ ଜଳପଥ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ଓ ନାବିକମାନଙ୍କୁ ଟାର୍ଗେଟ୍‌ କରାଯିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଛି। ଜାହାଜ ଓ ନାବିକଙ୍କ ସୁରକ୍ଷା ପାଇଁ ଭାରତ ଓ ଲାଇବେରିଆ ମଧ୍ୟ ଏକ ନୂଆ ଅନ୍ତର୍ଜାତୀୟ ପଦକ୍ଷେପ ଆରମ୍ଭ କରିଥିବା ଜୟଶଙ୍କର କହିଛନ୍ତି। ସମସ୍ତ ପକ୍ଷ ସଂଯମ ରକ୍ଷା କରିବା, ଉତ୍ତେଜନା ହ୍ରାସ କରିବା ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଭାରତ ଗୁରୁତ୍ୱ ଦେଇଛି। ଏଥିସହ ବିଶ୍ୱରେ ଶକ୍ତି ଓ ବାଣିଜ୍ୟର ନିରବଚ୍ଛିନ୍ନ ପ୍ରବାହ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସମସ୍ତ ପକ୍ଷ ଦାୟିତ୍ୱବାନ ଭାବେ କାର୍ଯ୍ୟ କରିବାକୁ ଭାରତ ଆହ୍ୱାନ ଜଣାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial