ଲାହୋରରେ ଅଘଟଣ: ଟ୍ୟୁସନ୍ ସେଣ୍ଟର ଉପରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ କୋଠା, ୧୪ ସ୍କୁଲ ପିଲାଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ: ପାକିସ୍ତାନର ଲାହୋର ସହରରେ ଏକ ହୃଦୟବିଦାରକ ଦୁର୍ଘଟଣା ସାମ୍ନାକୁ ଆସିଛି। ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ସେଠାରେ ଚାଲୁଥିବା ଘରୋଇ ଟ୍ୟୁସନ୍ ସେଣ୍ଟରର ୧୪ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଏହି ଅଘଟଣ ଲାହୋରର କାହ୍ନା ଜିଲ୍ଲାର ଇଦଗାହ ବସ୍ତି ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ, ୭ରୁ ୧୩ ବର୍ଷ ବୟସର ପିଲାମାନେ ଟ୍ୟୁସନ୍ ପଢ଼ୁଥିବା ବେଳେ ହଠାତ୍ କୋଠାର ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଛାତ୍ରଛାତ୍ରୀମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଘଟଣା ପରେ ଉଦ୍ଧାରକାରୀ ଦଳ, ପୁଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୨୦ ଜଣଙ୍କୁ ଭଗ୍ନାବଶେଷରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ୧୪ ଜଣ ଶିଶୁଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା।

ଲାହୋର ଡିଆଇଜି (ଅପରେସନ୍ସ) ଫୈଜଲ କାମରାନ କହିଛନ୍ତି ଯେ, ଭଗ୍ନାବଶେଷରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯେଉଁ କୋଠାରେ ଟ୍ୟୁସନ୍ ସେଣ୍ଟର ଚାଲୁଥିଲା, ତାହାର ଏକ ଅଂଶ ନିର୍ମାଣାଧୀନ ଥିଲା ଏବଂ ଦୁର୍ଘଟଣା ସମୟରେ ସେଠାରେ ଶ୍ରମିକମାନେ କାମ କରୁଥିଲେ। ଘଟଣା ପରେ ଠିକାଦାରଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଘଟଣାକୁ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିବା ସହ ସମସ୍ତ ସମ୍ଭାବ୍ୟ ଚିକିତ୍ସା ସୁବିଧା ଯୋଗାଇବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଲାହୋର କମିସନର ମରିୟମ ଖାନ ମଧ୍ୟ ୧୪ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଘଟଣାରେ ଦୁଇଜଣଙ୍କୁ ଅଟକ ରଖାଯାଇଥିବା ବେଳେ କୋଠାଟି ଏକ ଜନବହୁଳ ଆବାସିକ ଅଞ୍ଚଳରେ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)