ପ୍ରବଳ ବର୍ଷାରେ ଥରହର ମହାରାଷ୍ଟ୍ର! ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଭୂସ୍ଖଳନ, ୧୬ ଟ୍ରେନ୍ ବାତିଲ

ଅକ୍ଷର ବ୍ୟୁରୋ: ମହାରାଷ୍ଟ୍ରରେ ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ମୁମ୍ବାଇ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ କିଛି ଦିନ ଧରି ଅବିରତ ବର୍ଷା ଜାରି ରହିଥିବାବେଳେ ସାଧାରଣ ଜୀବନ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ବର୍ଷା ପାଣି ଜମିବା, ଗଛ ଉପୁଡ଼ି ପଡ଼ିବା, ବିଦ୍ୟୁତ୍ ସଂସ୍ପର୍ଶ ଏବଂ ଖୋଲା ମ୍ୟାନହୋଲରେ ଲୋକ ପଡ଼ିବା ଭଳି ଘଟଣାରେ ଏକାଧିକ ଜୀବନହାନି ଘଟିଥିବା ସୂଚନା ମିଳିଛି।

ଏହି ମଧ୍ୟରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ଖଣ୍ଡାଲା ଏକ୍ଜିଟ୍ ନିକଟରେ ବଡ଼ ଧରଣର ଭୂସ୍ଖଳନ ଘଟିଛି। ପାହାଡ଼ରୁ ବିପୁଳ ପରିମାଣର ମାଟି ଓ କାଦୁଅ ରାସ୍ତା ଉପରକୁ ଖସିପଡ଼ିବାରୁ ଯାତାୟାତ ବ୍ୟାହତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ପୁଣେରୁ ମୁମ୍ବାଇ ଯାଉଥିବା ମିସିଂ ଲିଙ୍କ ରୁଟ୍‌ର ଖଣ୍ଡାଲା ପ୍ରସ୍ଥାନକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି, ‘ମିସିଂ ଲିଙ୍କ’ ନାମରେ ପରିଚିତ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ଏହି ଅଂଶ ମାତ୍ର ଦୁଇ ମାସ ପୂର୍ବରୁ ଯାତାୟାତ ପାଇଁ ଖୋଲାଯାଇଥିଲା। ପ୍ରାୟ ୬,୬୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଗା ପ୍ରକଳ୍ପର ୮.୯ କିଲୋମିଟର ଲମ୍ବା ସୁଡ଼ଙ୍ଗର ପ୍ରସ୍ଥାନ ପଥ ନିକଟରେ ଭୂସ୍ଖଳନ ଘଟିଥିବାରୁ ପ୍ରକଳ୍ପର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

କେବଳ ସଡ଼କ ନୁହେଁ, ରେଳ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ମୁମ୍ବାଇ-ପୁଣେ ରେଳପଥର ଟନେଲ୍ ନମ୍ବର-୪୦ ନିକଟରେ ମଧ୍ୟ ଭୂସ୍ଖଳନ ଘଟିଥିବାରୁ ରେଳ ଚଳାଚଳରେ ବଡ଼ ବାଧା ସୃଷ୍ଟି ହୋଇଛି। ଏହା ଫଳରେ ୧୬ଟି ଟ୍ରେନ୍ ବାତିଲ କରାଯାଇଥିବାବେଳେ ୯ କିଲୋମିଟର ରୁଟ୍‌ରେ ଟ୍ରେନ୍ ଡାଇଭର୍ଟ କରାଯାଇଛି। ଯାତ୍ରୀମାନେ ଭୋଗାନ୍ତିର ସମ୍ମୁଖୀନ ହେଉଥିବାବେଳେ ରେଳବାଇ ଏବଂ ପ୍ରଶାସନ ପକ୍ଷରୁ ସ୍ଥିତି ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଜାରି ରହିବାର ପୂର୍ବାନୁମାନ ଥିବାରୁ ପ୍ରଶାସନ ସତର୍କତା ଜାରି କରିଛି। ଅତ୍ୟାବଶ୍ୟକ କାମ ନଥିଲେ ପାହାଡ଼ିଆ ଓ ବିପଦପୂର୍ଣ୍ଣ ଅଞ୍ଚଳକୁ ନ ଯିବା ସହ ଯାତ୍ରା ପୂର୍ବରୁ ଟ୍ରାଫିକ୍ ଓ ରେଳ ସ୍ଥିତି ସମ୍ପର୍କରେ ସୂଚନା ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)