ପାକିସ୍ତାନରେ ପୋଲିସ ଚେକ୍‌ପୋଷ୍ଟକୁ ଟାର୍ଗେଟ୍‌ କରି ବଡ଼ ବିସ୍ଫୋରଣ, ୧୩ ମୃତ

ଇସ୍ଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ପୁଣି ଥରେ ବଡ଼ ଧରଣର ବିସ୍ଫୋରଣ। ଡେରା ଇସ୍ମାଇଲ ଖାନ ଜିଲ୍ଲାର ଦରାଜିନ୍ଦା ଅଞ୍ଚଳରେ ଥିବା ‘ଅମନ ମେଳା’ ପୋଲିସ ଚେକ୍‌ପୋଷ୍ଟକୁ ଟାର୍ଗେଟ୍‌ କରି ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅତି କମ୍‌ରେ ୩୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଦୁଇଜଣ ମହିଳା ଥିବା ଜଣାପଡ଼ିଛି। ଖାଇବର ପଖତୁନଖ୍ୱା ଓ ବାଲୁଚିସ୍ତାନ ସୀମା ନିକଟସ୍ଥ ଡେରା ଇସ୍ମାଇଲ ଖାନର ଦରାଜିନ୍ଦା ଅଞ୍ଚଳରେ ଏହି ଘଟଣା ଘଟିଛି। ପ୍ରଦେଶ ଜରୁରୀକାଳୀନ ସେବାର ମୁଖପାତ୍ର ବିଲାଲ ଫୈଜିଙ୍କ ସୂଚନା ଅନୁସାରେ, ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ି ବ୍ୟବହାର କରି ଆକ୍ରମଣ କରାଯାଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ବିସ୍ଫୋରଣରେ ପୋଲିସ କର୍ମଚାରୀଙ୍କ ସହ କଷ୍ଟମ୍ସ ଅଧିକାରୀ ଓ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଧ୍ୱଂସାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଏହାସହ ବିସ୍ଫୋରଣର ପ୍ରକୃତି ଓ କାରଣ ନିର୍ଦ୍ଧାରଣ ପାଇଁ ବୋମା ନିରୋଧକ ଦଳ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଏହି ଆକ୍ରମଣ ପାଇଁ ପାକିସ୍ତାନୀ ତାଲିବାନ, ଅର୍ଥାତ୍‌ ତେହେରିକ-ଏ-ତାଲିବାନ ପାକିସ୍ତାନ (TTP), ଦାୟୀ ବୋଲି ଦାବି କରିଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ପାକିସ୍ତାନରେ ଉଗ୍ରବାଦୀ ହିଂସା ବୃଦ୍ଧି ପାଇଥିବାବେଳେ ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି।

ଅନ୍ୟପଟେ ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଓ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆକ୍ରମଣକୁ ନିନ୍ଦା କରିବା ସହ ପୀଡ଼ିତ ପରିବାରଗୁଡ଼ିକ ପ୍ରତି ସମବେଦନା ଜଣାଇଛନ୍ତି। ଜର୍ଦ୍ଦାରୀ ସାଧାରଣ ନାଗରିକ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରାଯିବାକୁ ‘ଅତ୍ୟନ୍ତ ନିନ୍ଦନୀୟ’ ବୋଲି କହିବା ସହ TTP ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଗୋଷ୍ଠୀ ବିଦେଶୀ ସମର୍ଥନରେ ହିଂସାତ୍ମକ କାର୍ଯ୍ୟ କରୁଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ପାକିସ୍ତାନୀ ଅଧିକାରୀମାନେ ଦୀର୍ଘଦିନ ଧରି ଆଫଗାନିସ୍ତାନର ତାଲିବାନ ସରକାର ଉପରେ TTP ସଦସ୍ୟମାନଙ୍କୁ ଆଫଗାନ ଅଞ୍ଚଳରୁ କାର୍ଯ୍ୟ କରିବାକୁ ଦିଆଯାଉଥିବା ଅଭିଯୋଗ କରିଆସୁଛନ୍ତି। ସୀମାପାର ଆକ୍ରମଣ ବନ୍ଦ କରିବାକୁ ପାକିସ୍ତାନ କାବୁଲକୁ ଦାବି କରିଛି। ତେବେ ଆଫଗାନ ଅଧିକାରୀମାନେ ଅନ୍ୟ ଦେଶ ବିରୋଧରେ ଆକ୍ରମଣ ପାଇଁ ନିଜ ଅଞ୍ଚଳ ବ୍ୟବହାର କରିବାକୁ ଅନୁମତି ଦେଉଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial