ଦେହରାଦୁନ୍: ଉତ୍ତରାଖଣ୍ଡର ଦୁର୍ଗମ ଅଞ୍ଚଳରେ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସେବା ପାଇଁ ହଇରାଣ ହେଉଥିବା ରୋଗୀଙ୍କୁ ଖୁବ୍ଶୀଘ୍ର ମିଳିପାରେ ଆଶ୍ୱସ୍ତି। ରାଜ୍ୟ ସରକାର ଫାର୍ମାସିଷ୍ଟମାନଙ୍କୁ ସୀମିତ ଔଷଧ ଲେଖିବା ବା ପ୍ରେସକ୍ରିପସନ୍ ଦେବାର ଅଧିକାର ପ୍ରଦାନ କରିବାକୁ ବିଚାର କରୁଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି। ଯୋଜନା ଅନୁଯାୟୀ, ଡିଫାର୍ମା ଓ ବିଫାର୍ମା ଫାର୍ମାସିଷ୍ଟମାନଙ୍କୁ କାଶ, ଥଣ୍ଡା, ଜ୍ୱର, ୟୁଟିଆଇ ସଂକ୍ରମଣ ଏବଂ କିଛି ସାଧାରଣ ଶ୍ୱାସକ୍ରିୟାଜନିତ ରୋଗ ପାଇଁ ସୀମିତ ଔଷଧ ଲେଖିବାର ଅନୁମତି ମିଳିପାରେ। ତେବେ ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଅନ୍ୟ ରାଜ୍ୟରେ ପ୍ରଚଳିତ ବ୍ୟବସ୍ଥାର ଅଧ୍ୟୟନ କରାଯିବ। ଏଥିପାଇଁ ଏକ କମିଟି ଗଠନ କରାଯାଉଛି। କମିଟି ଆସାମ, ହିମାଚଳ ପ୍ରଦେଶ ସମେତ ଅନ୍ୟ ରାଜ୍ୟର ମଡେଲ୍ ଅଧ୍ୟୟନ କରି ରିପୋର୍ଟ ଦେବ। ସେହି ରିପୋର୍ଟ ଆଧାରରେ ଉତ୍ତରାଖଣ୍ଡ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ।
ଉତ୍ତରାଖଣ୍ଡର ଅନେକ ଦୁର୍ଗମ ଅଞ୍ଚଳରେ ଡାକ୍ତରଖାନା ଥିଲେ ମଧ୍ୟ ଡାକ୍ତର ଅଭାବ ଯୋଗୁଁ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଛି। ଏପରି ସ୍ଥିତିରେ ସାଧାରଣ ରୋଗ ପାଇଁ ସ୍ଥାନୀୟ ସ୍ତରରେ ସୀମିତ ଔଷଧ ଲେଖିବାର ଅଧିକାର ଫାର୍ମାସିଷ୍ଟଙ୍କୁ ଦିଆଗଲେ ରୋଗୀଙ୍କୁ ଶୀଘ୍ର ପ୍ରାଥମିକ ଚିକିତ୍ସା ମିଳିପାରିବ ବୋଲି ସରକାର ଆଶା ରଖିଛନ୍ତି।ଫାର୍ମାସିଷ୍ଟମାନେ ଦୀର୍ଘଦିନ ଧରି ଏହି ଦାବି କରିଆସୁଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ସୁବୋଧ ୟୁନିୟାଲଙ୍କ ସହ ହୋଇଥିବା ଏକ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଫାର୍ମାସିଷ୍ଟଙ୍କୁ ସୀମିତ ପ୍ରେସକ୍ରିପସନ୍ ଅଧିକାର ଦେବା ପାଇଁ ପ୍ରସ୍ତାବ ଉପରେ କାମ ଚାଲିଛି। ଏନେଇ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ MBBS ଇଣ୍ଟର୍ଣ୍ଣ ଓ PG ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ଡୁନ୍ ହସ୍ପିଟାଲରେ ଚିକିତ୍ସା ସେବା ପ୍ରଭାବିତ ହୋଇଛି। ରୋଗୀଙ୍କ ସଂଖ୍ୟା କମିବାରୁ ଇଲେକ୍ଟିଭ୍ ସର୍ଜରୀ ମଧ୍ୟ ହ୍ରାସ ପାଇଛି। ବୁଧବାର ସାଧାରଣତଃ ଅର୍ଥୋପେଡିକ୍ସ ଓ ସର୍ଜରୀ ବିଭାଗରେ ମୋଟ ୫ଟି ଲେଖାଏଁ ଅସ୍ତ୍ରୋପଚାର ହେଉଥିବା ବେଳେ ଏହି ଦିନ ଅର୍ଥୋପେଡିକ୍ସ ବିଭାଗରେ ୨ଟି ଏବଂ ସର୍ଜରୀ ବିଭାଗରେ କେବଳ ୧ଟି ଇଲେକ୍ଟିଭ୍ ସର୍ଜରୀ ହୋଇଥିଲା। ତେବେ ଜରୁରୀକାଳୀନ OT, କ୍ୟାଥଲାବ୍, ଚକ୍ଷୁ ଓ ପ୍ରସୂତି ବିଭାଗର ଅସ୍ତ୍ରୋପଚାର ଉପରେ ଧର୍ମଘଟର ପ୍ରଭାବ ପଡ଼ିନାହିଁ। ହସ୍ପିଟାଲ ପ୍ରଶାସନ ଅନୁଯାୟୀ, ଆବଶ୍ୟକ ଥିବା ରୋଗୀଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଉଛି। PG ଡାକ୍ତର ଓ ଇଣ୍ଟର୍ଣ୍ଣମାନେ ICU ଏବଂ ଜରୁରୀକାଳୀନ ବିଭାଗରେ ମଧ୍ୟ ଡ୍ୟୁଟି କରୁଛନ୍ତି।













Leave a Reply