ଅକ୍ଷର ବ୍ୟୁରୋ: ନେପାଳ-ତିବ୍ଦତ ସୀମାନ୍ତ ଅଞ୍ଚଳରେ ପ୍ରକୃତିର ତାଣ୍ଡବ । ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ଏଯାଏଁ ୭୫୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୩ ହଜାରରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଦାବି କରାଯାଇଛି । ତିବ୍ଦତ ଅଞ୍ଚଳରେ ହିମଖଣ୍ଡ ଭୁଷୁଡ଼ିବା ଏବଂ ଭୋଟକୋଶୀ ନଦୀରେ ଆକସ୍ମିକ ବନ୍ୟା ଯୋଗୁଁ ନେପାଳ-ଚୀନ୍ ସୀମାର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି ।
ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ତଥ୍ୟ ଅନୁଯାୟୀ, ନେପାଳ ଅଞ୍ଚଳରୁ ପ୍ରାୟ ୭୩୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତିବ୍ଦତ ଅଞ୍ଚଳରେ ୧୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ନଦୀକୂଳ, ଭାସିଯାଇଥିବା ଘରଦ୍ୱାର ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପର ସୁଡ଼ଙ୍ଗଗୁଡ଼ିକରେ ଉଦ୍ଧାରକାରୀ ଦଳ ସନ୍ଧାନ ଅଭିଯାନ ଜାରି ରଖିଛନ୍ତି ।ମହାବିପର୍ଯ୍ୟୟ ପରେ ନିଖୋଜଙ୍କ ମଧ୍ୟରେ ଭାରତୀୟ ନାଗରିକ, ତୀର୍ଥଯାତ୍ରୀ ଏବଂ ବିଦେଶୀ ପର୍ଯ୍ୟଟକ ଥିବା ଜଣାପଡ଼ିଛି । ସୀମାନ୍ତ ଅଞ୍ଚଳରେ କାର୍ଯ୍ୟରତ ଜଳବିଦ୍ୟୁତ୍ ଶ୍ରମିକ ଏବଂ କୈଳାସ ମାନସରୋବର ଯାତ୍ରୀଙ୍କ ସମେତ ୩୦୦ରୁ ଅଧିକ ଭାରତୀୟଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବା ସୂଚନା ମିଳିଛି ।
ବନ୍ୟା ଯୋଗୁଁ ପ୍ରଭାବିତ ଅଞ୍ଚଳରେ ଟେଲିଫୋନ୍ ଯୋଗାଯୋଗ, ବିଦ୍ୟୁତ୍ ସେବା ଏବଂ ରାସ୍ତାଘାଟ ବ୍ୟବସ୍ଥା ବ୍ୟାହତ ହୋଇଛି । ଫଳରେ ନିଖୋଜ ଲୋକଙ୍କ ସନ୍ଧାନ ଏବଂ ଉଦ୍ଧାରକାର୍ଯ୍ୟ ଆହୁରି ଚ୍ୟାଲେଞ୍ଜିଂ ହୋଇପଡ଼ିଛି । ନେପାଳ ଓ ଚୀନ୍ ସରକାରଙ୍କ ପକ୍ଷରୁ ସେନା, ସଶସ୍ତ୍ର ପୋଲିସ ବଳ ଏବଂ ହେଲିକପ୍ଟରକୁ ଉଦ୍ଧାରକାର୍ଯ୍ୟରେ ନିୟୋଜିତ କରାଯାଇଛି । ଦୁର୍ଗମ ଅଞ୍ଚଳରୁ ଆହତ ଓ ଫସିଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଉଛି । ଭାରତ ପକ୍ଷରୁ ମଧ୍ୟ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଔଷଧ ଏବଂ ଉଦ୍ଧାରକାରୀ ଟିମ୍ ପଠାଇ ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ରହିଛି ।
ବନ୍ୟା ଯୋଗୁଁ କିଛି ସ୍ଥାନରେ ନଦୀରେ ଅବରୋଧ ସୃଷ୍ଟି ହୋଇଥିବାରୁ ଜଳସ୍ତର ପୁଣି ବଢ଼ିବା ଏବଂ ନୂଆ ଅଞ୍ଚଳକୁ ବନ୍ୟାଜଳ ମାଡ଼ିଯିବାର ଆଶଙ୍କା ରହିଛି । ଏଥିପାଇଁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ହାଇଆଲର୍ଟ ଜାରି କରାଯାଇଛି । ଅନ୍ୟପକ୍ଷରେ, ବିପର୍ଯ୍ୟୟର ସୁଯୋଗ ନେଇ କିଛି ସ୍ଥାନରେ ଚୋରି ଓ ଲୁଟ୍ ଅଭିଯୋଗ ସାମ୍ନାକୁ ଆସିଥିବାରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ହଜାର ହଜାର ଲୋକଙ୍କ ଭାଗ୍ୟ ଏବେ ଉଦ୍ଧାରକାରୀ ଦଳର ତଲାସୀ ଅଭିଯାନ ଉପରେ ନିର୍ଭର କରୁଛି ।














Leave a Reply