ମହାରାଷ୍ଟ୍ର: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ମହାଡର ଏକ କେମିକାଲ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ଘଟିଛି। ମହାଡ ଏମଆଇଡିସି ଅଞ୍ଚଳରେ ଥିବା ସିନର୍ଜିୟା କେମିକାଲ ଇଣ୍ଡଷ୍ଟ୍ରୀଜ୍ରେ ଏହି ବିସ୍ଫୋରଣ ହୋଇଥିବା ବେଳେ ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏଯାଏଁ କୌଣସି ମୃତ୍ୟୁ ଘଟିନଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, କମ୍ପାନୀରେ ପାରା ନାଇଟ୍ରୋ ଟୋଲ୍ୟୁଇନ୍ ଆଧାରିତ କେମିକାଲ୍ ଉତ୍ପାଦନ ଚାଲିଥିବା ବେଳେ ଏକ ବଏଲର ହଠାତ୍ ଫାଟିଯିବାରୁ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ବିସ୍ଫୋରଣ ପରେ କମ୍ପାନୀ ପରିସରରେ ନିଆଁ ଲାଗିଯାଇଥିଲା। ଫଳରେ ଚାରିଆଡ଼େ ଧୂଆଁ ଦେଖାଯାଇଥିଲା ଏବଂ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଏହାର ଶବ୍ଦ ପ୍ରାୟ ୪ରୁ ୫ କିମି ଦୂର ପର୍ଯ୍ୟନ୍ତ ଶୁଣାଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ, ମେଡିକାଲ ଟିମ୍, ଫାୟାର ବ୍ରିଗେଡ୍ ଏବଂ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ନିଆଁ ନିୟନ୍ତ୍ରଣ କାର୍ଯ୍ୟ ଆରମ୍ଭ କରିଥିଲେ।
ପ୍ରାୟ ୨ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ବିସ୍ଫୋରଣରେ ଆହତ ୪ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣା ପରେ ମହାଡ ଏମଆଇଡିସି ଅଞ୍ଚଳର ଶିଳ୍ପ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ, ବିସ୍ଫୋରଣର ପ୍ରକୃତ କାରଣ ଏବଂ କମ୍ପାନୀର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୋଲିସ ଓ ଶିଳ୍ପ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ କାରଣ ଓ ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ।













Leave a Reply