ସିରିଆର ଦମାସ୍କସ୍‌ରେ ଭୟଙ୍କର ବିସ୍ଫୋରଣ! କ୍ୟାଫେରେ ଧ୍ୱଂସଲୀଳା; ୯ ମୃତ, ୨୦ରୁ ଅଧିକ ଆହତ

ଅକ୍ଷର ବ୍ୟୁରୋ: ସିରିଆର ରାଜଧାନୀ ଦମାସ୍କସ୍ ରେ ଗୁରୁବାର ଏକ ଭୟଙ୍କର ବିସ୍ଫୋରଣ ଘଟି ସମଗ୍ର ସହରକୁ ଥରାଇ ଦେଇଛି। ମୁଖ୍ୟ କୋର୍ଟହାଉସ୍‌ ନିକଟରେ ଥିବା ଏକ କ୍ୟାଫେରେ ଘଟିଥିବା ଏହି ବିସ୍ଫୋରଣରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସୂଚନା ଅନୁଯାୟୀ, ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ଦୂରଦୂରାନ୍ତ ପର୍ଯ୍ୟନ୍ତ ଶୁଣାଯାଇଥିଲା। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେଠାରେ ମୃତଦେହ ଛିନ୍ନଭିନ୍ନ ଅବସ୍ଥାରେ ପଡ଼ିଥିବା ଦେଖିଥିବା କହିଛନ୍ତି। ବିସ୍ଫୋରଣରେ କ୍ୟାଫେର ବ୍ୟାପକ କ୍ଷୟକ୍ଷତି ଘଟିଥିବା ସହ ଆଖପାଖ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ନେଇ ଚିକିତ୍ସା ଯୋଗାଇ ଦିଆଯାଇଛି। କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାକୁ ନେଇ ତଦନ୍ତ ଜାରି ରହିଛି ଏବଂ ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ସୁରକ୍ଷା ଏଜେନ୍ସିମାନେ ଛାନଭିନ୍ କରୁଛନ୍ତି।

ଅନ୍ୟପଟେ, ଦମାସ୍କସ୍‌ର ରାଜ୍ୟପାଳ ମାହେର ଇଡଲିବି କହିଛନ୍ତି ଯେ, ବିସ୍ଫୋରଣରେ ବ୍ୟବହୃତ ଉପକରଣଟି ପୁରୁଣା ବିସ୍ଫୋରକ ସାମଗ୍ରୀ ହୋଇଥାଇପାରେ ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ଖୁବ୍ ଶୀଘ୍ର ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରକାଶ କରାଯିବ ବୋଲି ସିରିଆର ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି। ସେହିସହ ଘଟଣା ପାଇଁ ଦାୟୀ ବ୍ୟକ୍ତି କିମ୍ବା ଗୋଷ୍ଠୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିସ୍ଫୋରଣର କାରଣ ଓ ଏହା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)