ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ଅଗ୍ନିକାଣ୍ଡ: ଟ୍ରେଲରକୁ ପିଟି ଜଳିଗଲା ଯାତ୍ରୀବାହୀ ବସ୍, ୮ ମୃତ; ୨୨ ଗୁରୁତର

ଅକ୍ଷର ବ୍ୟୁରୋ: ରାଜସ୍ଥାନର ଦୌସା ଜିଲ୍ଲାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଉପରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ହରିଦ୍ୱାରରୁ ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେବା ପରେ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ବସ୍‌ଟିରେ ୩୯ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ବୁଧବାର ସକାଳ ପ୍ରାୟ ୩ଟା ୨୦ ମିନିଟ୍‌ରେ ଏକ୍ସପ୍ରେସୱେରେ ବସ୍‌ଟି ଏକ ଟ୍ରେଲରକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କିଛି ମୁହୂର୍ତ୍ତ ମଧ୍ୟରେ ବସ୍‌ରେ ନିଆଁ ଲାଗିଯାଇଥିଲା ଏବଂ ଅଗ୍ନିଶିଖା ସମଗ୍ର ବସ୍‌କୁ ଗ୍ରାସ କରିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ସର୍ବପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଅନେକ ଯାତ୍ରୀଙ୍କୁ ବସ୍‌ରୁ ବାହାର କରିଥିଲେ। ପରେ ପୁଲିସ, ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ସେବା ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲେ।

ଆହତମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଗ୍ରୀନ୍ କରିଡର ସୃଷ୍ଟି କରି ସେମାନଙ୍କୁ ଶୀଘ୍ର ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ଏବେ ମଧ୍ୟ ଉଦ୍ଧାର ଅଭିଯାନ ଜାରି ରହିଛି। ବସ୍‌ ଭିତରେ ଆଉ କିଛି ଯାତ୍ରୀ ଫସି ରହିଥିବା ଆଶଙ୍କା ମଧ୍ୟ କରାଯାଉଛି। ପ୍ରାଥମିକ ତଦନ୍ତରୁ ବସ୍ ଚାଳକଙ୍କୁ ନିଦ ଲାଗିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ସେହିପରି ବସ୍‌ଟି ଅତ୍ୟଧିକ ବେଗରେ ଚାଲୁଥିବା ନେଇ ମଧ୍ୟ ତଦନ୍ତ ଚାଲିଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)