ଚୀନରେ ଭୟଙ୍କର ଭୂସ୍ଖଳନ: ୧୬ ମୃତ, ୫୪୬ ନିଖୋଜ!

ଅକ୍ଷର ବ୍ୟୁରୋ: ଚୀନର ଶିଜାଙ୍ଗ ଅଞ୍ଚଳ ସୀମା ନିକଟସ୍ଥ ଏକ ବନ୍ଦରରେ ଭୟଙ୍କର ଭୂସ୍ଖଳନ ଘଟିଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ୫୪୬ ଜଣ ନିଖୋଜ ଥିବା ସୂଚନା ମିଳିଛି । ନିଖୋଜଙ୍କ ମଧ୍ୟରେ ୪୯ ଜଣ ଭାରତୀୟ ନାଗରିକ ଥିବା ଜଣାପଡ଼ିବା ପରେ ଚିନ୍ତା ବଢ଼ିଛି । ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଶିଜାଙ୍ଗ ନିକଟସ୍ଥ ବନ୍ଦର ଅଞ୍ଚଳରେ ଭୂସ୍ଖଳନ ଘଟିଥିବା ଚୀନ ସରକାରୀ ଗଣମାଧ୍ୟମରୁ ସୂଚନା ମିଳିଛି । ଘଟଣା ପରେ ନିଖୋଜ ଲୋକଙ୍କ ସନ୍ଧାନରେ ବଡ଼ଧରଣର ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଅଧିକାରୀଙ୍କ ସୂଚନା ଅନୁସାରେ, ଭୂସ୍ଖଳନ ପରଠାରୁ ୨୩ଟି ଦେଶର ମୋଟ ୨୬୧ ଜଣ ବିଦେଶୀ ନାଗରିକଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ନିଖୋଜ ବିଦେଶୀଙ୍କ ମଧ୍ୟରେ ନେପାଳର ସର୍ବାଧିକ ୧୦୪ ଜଣ ନାଗରିକ ଅଛନ୍ତି । ଏହାପରେ ୪୯ ଜଣ ଭାରତୀୟ, ୩୩ ଜଣ ଲାଟଭିଆନ୍‌, ୧୮ ଜଣ ଆମେରିକୀୟ ଏବଂ ୧୫ ଜଣ ବ୍ରିଟିଶ ନାଗରିକ ରହିଛନ୍ତି । ସେହିପରି କାନାଡା ଓ ଅଷ୍ଟ୍ରେଲିଆର ୬ ଜଣ ଲେଖାଏଁ ନାଗରିକ ନିଖୋଜ ଅଛନ୍ତି । ଦକ୍ଷିଣ ଆଫ୍ରିକାର ୪ ଜଣ ଏବଂ ମାଲେସିଆ, ଜର୍ମାନୀ ଓ ରୁଷର ୩ ଜଣ ଲେଖାଏଁ ନାଗରିକଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ ।

ଏହାବ୍ୟତୀତ ଆୟରଲ୍ୟାଣ୍ଡ ଓ ଏଷ୍ଟୋନିଆର ୨ ଜଣ ଲେଖାଏଁ ନାଗରିକ ନିଖୋଜ ଥିବାବେଳେ ଫ୍ରାନ୍ସ, ନେଦରଲ୍ୟାଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ସମେତ ଅନ୍ୟାନ୍ୟ ଦେଶର ନାଗରିକ ମଧ୍ୟ ନିଖୋଜ ତାଲିକାରେ ରହିଛନ୍ତି । ବିପର୍ଯ୍ୟୟ ପରେ ଉଦ୍ଧାରକାରୀ ଦଳ ପକ୍ଷରୁ ନିଖୋଜଙ୍କ ସନ୍ଧାନ ଜାରି ରହିଛି । ଭୂସ୍ଖଳନରେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପହଞ୍ଚି ନିଖୋଜଙ୍କୁ ଖୋଜିବା ସହ ଘଟଣାର ସ୍ଥିତି ଆକଳନ କରୁଛନ୍ତି । ମୃତ୍ୟୁସଂଖ୍ୟା ଓ ନିଖୋଜଙ୍କ ସଂଖ୍ୟା ଆହୁରି ବଢ଼ିପାରେ କି ନାହିଁ, ତାହା ଉଦ୍ଧାର ଅଭିଯାନ ଆଗକୁ ବଢ଼ିବା ପରେ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial