ଅକ୍ଷର ବ୍ୟୁରୋ: ପଶ୍ଚିମ ଏସିଆରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ପରେ ସ୍ଥିତି କିଛିଟା ସ୍ୱାଭାବିକ ହୋଇଥିବାବେଳେ ରୁଷ-ୟୁକ୍ରେନ ଯୁଦ୍ଧ ପୁଣିଥରେ ତୀବ୍ର ରୂପ ନେଇଛି। ପ୍ରାୟ ଚାରି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ ଜାରି ରଖିଛନ୍ତି। ଏହାରି ମଧ୍ୟରେ ଜୁଲାଇ ୭ରେ ହେବାକୁ ଥିବା ନାଟୋ ଶିଖର ସମ୍ମିଳନୀର ଠିକ୍ ଗୋଟିଏ ଦିନ ପୂର୍ବରୁ ରୁଷ, ୟୁକ୍ରେନର ରାଜଧାନୀ କିଭ୍ ଉପରେ ଭୟଙ୍କର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛି।
ଏହି ମଧ୍ୟରାତ୍ରି ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୋମବାର ରାତିରେ ରୁଷ ପକ୍ଷରୁ କିଭ୍କୁ ଟାର୍ଗେଟ କରି ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, କ୍ରୁଜ୍ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରାଯାଇଥିଲା। ଆକ୍ରମଣ ପରେ ସହରର ବିଭିନ୍ନ ସ୍ଥାନରେ ଭୟଙ୍କର ବିସ୍ଫୋରଣ ଘଟିଥିଲା ଏବଂ ଅନେକ ଆବାସିକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା।
କିଭ୍ର ମେୟର ଭିଟାଲି କ୍ଲିଟ୍ସକୋ କହିଛନ୍ତି, ଆକ୍ରମଣ ପରେ ଉଦ୍ଧାରକାରୀ ଟିମ୍ କ୍ଷତିଗ୍ରସ୍ତ କୋଠାଗୁଡ଼ିକରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଉଛନ୍ତି। କିଭ୍ରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରାଜଧାନୀର ଉତ୍ତର-ପଶ୍ଚିମରେ ଥିବା ବୁଚା ଜିଲ୍ଲାରେ ଆଉ ଜଣେ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି। ଆକ୍ରମଣରେ ପୋଡିଲସ୍କି ଜିଲ୍ଲାର ଏକ ଆବାସିକ କୋଠା ଆଂଶିକ ଭାବେ ଧ୍ୱଂସ ହୋଇଥିବାବେଳେ ଡାର୍ନିତ୍ସିଆ ଜିଲ୍ଲାର ଏକାଧିକ ବହୁତଳ କୋଠା କ୍ଷତିଗ୍ରସ୍ତ ହୋଇଛି। ଅନେକ ଲୋକ ଏବେ ମଧ୍ୟ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସୋମବାର ସକାଳ ପର୍ଯ୍ୟନ୍ତ ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା।
ଏହି ଆକ୍ରମଣ ଏଭଳି ଏକ ସମୟରେ ହୋଇଛି, ଯେତେବେଳେ ଜୁଲାଇ ୭ରୁ ତୁର୍କୀର ଅଙ୍କାରାରେ ନାଟୋ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଯୁଦ୍ଧର ସଦ୍ୟତମ ପରିସ୍ଥିତି, ସୁରକ୍ଷା ସହଯୋଗ ଏବଂ ଭବିଷ୍ୟତ ରଣନୀତି ନେଇ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ରୁଷର ଏହି ବ୍ୟାପକ ଆକ୍ରମଣ ପରେ ୟୁରୋପର ସୁରକ୍ଷା ପରିସ୍ଥିତିକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି। ନାଟୋ ସମ୍ମିଳନୀରେ ଏହି ଆକ୍ରମଣ ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ ବୋଲି କୂଟନୈତିକ ମହଳରେ ଆଲୋଚନା ଜୋର ଧରିଛି।












Leave a Reply