କାଠମାଣ୍ଡୁ: ନେପାଳରେ ଲଗାତାର ପ୍ରବଳ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ମୁସ୍ତାଙ୍ଗ ଜିଲ୍ଲାର ଲେଟେ ଅଞ୍ଚଳରୁ ଆସିଥିବା ଏକ ଭିଡିଓ ଏବେ ଚର୍ଚ୍ଚାରେ। ମାତ୍ର ପ୍ରାୟ ୬ ସେକେଣ୍ଡ ମଧ୍ୟରେ ପାହାଡ଼ର ଏକ ବଡ଼ ଅଂଶ ଭାଙ୍ଗି କାଳୀ ଗଣ୍ଡକୀ ନଦୀ ଭିତରକୁ ଖସିପଡ଼ୁଥିବା ଦୃଶ୍ୟ ଭିଡିଓରେ ଦେଖାଯାଇଛି। ଘଟଣା ସମୟରେ ଆଖପାଖରେ ଥିବା ଲୋକଙ୍କ ଚିତ୍କାର ମଧ୍ୟ ଶୁଣାଯାଉଛି। ଭୂସ୍ଖଳନ ପରେ କିଛି ସମୟ ପାଇଁ ପାହାଡ଼ରୁ ଖସିଥିବା ମାଟି ଓ ପଥରରେ ନଦୀର ଜଳପଥ ଅବରୋଧ ହୋଇଥିଲା, ପରେ ପାଣି ନିଜର ପଥ ତିଆରି କରି ପୁଣି ପ୍ରବାହିତ ହୋଇଥିଲା।
ଆଉ ଏକ ଭିଡିଓରେ ପାହାଡ଼ ଢାଲରୁ ମାଟି ଖସିବା ସହ ଗଛ ଓ ପଥର-କାଠରେ ତିଆରି ଏକ ଘର ମଧ୍ୟ ତଳକୁ ଭାସିଯାଉଥିବା ଦେଖାଯାଇଛି। ଭିଡିଓରେ ସ୍ଥାନୀୟ ଲୋକଙ୍କ ଚିତ୍କାର ଶୁଣାଯାଉଥିବା ବେଳେ, ଜଣେ ବ୍ୟକ୍ତିଙ୍କ “ଘର ଗଇ ସକ୍ୟୋ” ବୋଲି କହୁଥିବାରୁ କ୍ଷୟକ୍ଷତିର ଚିତ୍ର ସ୍ପଷ୍ଟ ହେଉଛି। ଲଗାତାର ବର୍ଷା ଯୋଗୁଁ ନେପାଳର ବିଭିନ୍ନ ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଛି। ତାଜା ରିପୋର୍ଟ ଅନୁସାରେ ବିଭିନ୍ନ ଜିଲ୍ଲାରେ ସମ୍ମିଳିତ ଭାବେ ଅତିକମରେ ୨୪ ଜଣଙ୍କ ମୃତ୍ୟୁ ଓ ୧୪ ଜଣ ନିଖୋଜ ଥିବା ଜଣାପଡ଼ିଛି। ଗଣ୍ଡକୀ ପ୍ରଦେଶରେ ମଧ୍ୟ ଭାରି କ୍ଷୟକ୍ଷତି ହୋଇଛି; ରାସ୍ତା, ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି।
କାଳୀ ଗଣ୍ଡକୀ ନଦୀର ଜଳସ୍ତର ଶନିବାରଠାରୁ ବଢ଼ିବା ଆରମ୍ଭ କରିଥିଲା ଏବଂ ରବିବାର ସକାଳେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଥିଲା। ମୁସ୍ତାଙ୍ଗ, ମ୍ୟାଗ୍ଦି, ପର୍ବତ ଓ ସ୍ୟାଙ୍ଗଜା ଅଞ୍ଚଳରେ ନଦୀ ବନ୍ୟାର ପ୍ରଭାବ ପଡ଼ିଛି। ପର୍ବତ ଜିଲ୍ଲାର ଫର୍ସେ ଅଞ୍ଚଳରେ କାଳୀ ଗଣ୍ଡକୀ ନଦୀ ପ୍ରାୟ ୬୭ଟି ଘରକୁ ଭସାଇ ନେଇଥିବା ବେଳେ ଆଉ ୨୩ଟି ଘର ବିପଦରେ ରହିଛି। ଭୂସ୍ଖଳନ ଯୋଗୁଁ ଅନେକ ରାସ୍ତା ଅବରୋଧ ହୋଇଥିବାରୁ ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ହିମଲୁଙ୍ଗ ହିମାଲରେ ଆଭାଲାଞ୍ଚ, ୪ ମୃତ ୧୨ ନିଖୋଜ
ଏହି ବିପର୍ଯ୍ୟୟ ମଧ୍ୟରେ ମାନାଙ୍ଗ ଜିଲ୍ଲାର ୭,୧୨୬ ମିଟର ଉଚ୍ଚ ହିମଲୁଙ୍ଗ ହିମାଲ ବେସ୍ କ୍ୟାମ୍ପରେ ରବିବାର ଆଭାଲାଞ୍ଚ ଘଟିଛି। ତାଜା ଅପଡେଟ୍ ଅନୁସାରେ ଅତିକମରେ ୪ ଜଣଙ୍କ ମୃତ୍ୟୁ ଓ ୧୨ ଜଣ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ଆଭାଲାଞ୍ଚରେ ଏକ ଟେଣ୍ଟ ପୋତି ହୋଇଯାଇଥିଲା, ଯେଉଁଠାରେ ୯ ଜଣ ପର୍ବତାରୋହୀ ଓ ୧୩ ଜଣ ସହାୟକ କର୍ମଚାରୀ ଆଶ୍ରୟ ନେଇଥିଲେ। ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଥିଲେ ମଧ୍ୟ ସନ୍ଧାନ ଜାରି ରହିଛି।
ଅଗଷ୍ଟର ବିପର୍ଯ୍ୟୟର ଘାଉ ଶୁଖିନଥିବା ବେଳେ ନୂଆ ସଙ୍କଟ
ନେପାଳ ଏବେବି ଅଗଷ୍ଟର ଭୟାବହ ବନ୍ୟାର ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନାହିଁ। ଗତ ମାସର ବ୍ୟାପକ ବନ୍ୟାରେ ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ପ୍ରାୟ ୬,୦୦୦ ଜଣ ନିଖୋଜ ହୋଇଥିବା ଅଧିକାରୀଙ୍କ ତଥ୍ୟରେ କୁହାଯାଇଥିଲା। ସେହି ବିପର୍ଯ୍ୟୟର କ୍ଷୟକ୍ଷତିରୁ ଦେଶ ମୁକୁଳୁଥିବା ବେଳେ ପୁଣି ଭାରି ବର୍ଷା, ବନ୍ୟା ଓ ଭୂସ୍ଖଳନ ଚିନ୍ତା ବଢ଼ାଇଛି।କେଇ ସେକେଣ୍ଡରେ ବଦଳିଯାଉଛି ପାହାଡ଼ିଆ ଅଞ୍ଚଳର ଚିତ୍ର। ପାହାଡ଼ ଧସୁଛି, ନଦୀ ଉଗ୍ର ହେଉଛି, ବିପଦରେ ପଡ଼ୁଛି ଘର ଓ ବସତି। ନେପାଳରୁ ଆସୁଥିବା ଏହି ଦୃଶ୍ୟ ପୁଣିଥରେ ପ୍ରାକୃତିକ ବିପର୍ଯ୍ୟୟର ଭୟାବହତାକୁ ସାମ୍ନାକୁ ଆଣିଛି।













Leave a Reply