ମୁମ୍ବାଇରେ ବର୍ଷାର ତାଣ୍ଡବ: ଖୋଲା ମ୍ୟାନହୋଲରେ ଭାସିଗଲେ ବ୍ୟକ୍ତି, ସହର ଜଳବନ୍ଦୀ; କଣ୍ଟ୍ରାକ୍ଟରଙ୍କ ବିରୋଧରେ ହେବ ନରହତ୍ୟା ମାମଲା

ଅକ୍ଷର ବ୍ୟୁରୋ: ଆର୍ଥିକ ରାଜଧାନୀ ମୁମ୍ବାଇରେ ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ କରିଦେଇଛି। ଗୁରୁବାର ଦିନ ଅନ୍ଧେରୀ ଓ କୁର୍ଲାକୁ ସଂଯୋଗ କରୁଥିବା ଖୈରାନୀ ରୋଡ୍ ରେ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ମୋବାଇଲରେ କଥା ହୋଇ ଯାଉଥିବା ବେଳେ ୫୫ ବର୍ଷୀୟ ଅସଲମ ଇସାଫ୍ ଶେଖ୍ ଖୋଲା ଥିବା ଏକ ମ୍ୟାନହୋଲରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ପ୍ରଶାସନିକ ଅବହେଳାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ଅସଲମ ଶେଖ୍ ବର୍ଷା ମଧ୍ୟରେ ମୋବାଇଲରେ କଥା ହୋଇ ରାସ୍ତାରେ ଯାଉଥିଲେ। ସେହି ସମୟରେ ମରାମତି କାର୍ଯ୍ୟ ପାଇଁ ଖୋଲା ରଖାଯାଇଥିବା ଏକ ମ୍ୟାନହୋଲରେ ସେ ପଡ଼ି ଭାସିଯାଇଥିଲେ। ଘଟଣାସ୍ଥଳରୁ ତାଙ୍କର ଛତା ଓ ଚପଲ ମିଳିବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରାୟ ଦୁଇ ଘଣ୍ଟା ଧରି ସର୍ଚ୍ଚ ଅପରେସନ ଚଳାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ରାଜାୱାଡି ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏକ ଘରୋଇ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଚାଲିଥିବା ମରାମତି କାର୍ଯ୍ୟ ପାଇଁ ମ୍ୟାନହୋଲର ଢାଙ୍କୁଣୀ ଖୋଲା ରଖାଯାଇଥିଲା। ଏହାକୁ ଗୁରୁତର ଅବହେଳା ବୋଲି ଦର୍ଶାଇ ମୁମ୍ବାଇ ମହାନଗର ନିଗମ (BMC) ପକ୍ଷରୁ ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କ ବିରୋଧରେ ନରହତ୍ୟା ମାମଲା ରୁଜୁ କରାଯିବ ବୋଲି ଡେପୁଟି ମେୟର ସଞ୍ଜୟ ଘାଡି ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ, ପ୍ରବଳ ବର୍ଷା ଯୋଗୁଁ ଦାଦର, ପରେଲ, ହିନ୍ଦମାତା, ୱର୍ଲି ଓ ଅନ୍ଧେରୀ ସମେତ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବିଗତ ୨୪ ଘଣ୍ଟାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ, ସାନ୍ତାକ୍ରୁଜ୍ ଓ ଭାଣ୍ଡୁପରେ ସର୍ବାଧିକ ୨୩୮.୮ ମିଲିମିଟର ବର୍ଷା ହୋଇଛି। ଏହାର ପ୍ରଭାବରେ ମୁମ୍ବାଇର ଲାଇଫଲାଇନ୍ କୁହାଯାଉଥିବା ଲୋକାଲ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି। ଅନେକ ଟ୍ରେନ୍ ୧୦ରୁ ୧୫ ମିନିଟ୍ ବିଳମ୍ବରେ ଚଳାଚଳ କରୁଥିବା ଯାତ୍ରୀମାନେ କହିଥିବାବେଳେ ରେଳ ବିଭାଗ ସ୍ଥିତି ସ୍ୱାଭାବିକ ଥିବା ଦାବି କରିଛି।

ଏପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ କିଛି ଘଣ୍ଟା ପାଇଁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି। ଧାର୍ଯ୍ୟ ସମୟଠାରୁ ୧୩ ଦିନ ବିଳମ୍ବରେ ଜୁନ୍ ୨୩ରେ ମୁମ୍ବାଇରେ ପହଞ୍ଚିଥିବା ମୌସୁମୀ ବର୍ତ୍ତମାନ ସହରବାସୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)