ନେପାଳ: ପ୍ରକୃତିର ତାଣ୍ଡବରେ ପୁଣି ଥରେ ଥରିଛି ନେପାଳ। ପଶ୍ଚିମ ନେପାଳର ତିବ୍ବତ ସୀମାନ୍ତ ଅଞ୍ଚଳରେ ଥିବା ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପରେ ରବିବାର ସକାଳେ ହିମସ୍ଖଳନ ଘଟିଛି। ଏଥିରେ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜଙ୍କ ମଧ୍ୟରେ ଦୁଇଜଣ ରୋଷେଇ କର୍ମଚାରୀ ଥିବା ଅଭିଯାନ ଆୟୋଜକ ମିଙ୍ଗମା ଗ୍ୟାଲଜେ ଶେର୍ପା ନିଶ୍ଚିତ କରିଛନ୍ତି।
ମିଙ୍ଗମା ଗ୍ୟାଲଜେ ଶେର୍ପାଙ୍କ ସୂଚନା ଅନୁସାରେ, ଗତ ସପ୍ତାହରେ ପାଣିପାଗ ସତର୍କତା ଜାରି ହେବା ପରେ ଅଭିଯାନ ଦଳ ଏବଂ ରଶି ବିଛାଇବା ଦଳ ପର୍ବତ ଢାଲକୁ ସଫା କରିଥିଲେ। ତେବେ କିଛି ଲୋକ ସେଠାରେ ରହିଥିଲେ। ଗତ କିଛି ଦିନ ଧରି ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାରପାତ ଜାରି ରହିଥିବାରୁ ପର୍ବତାରୋହୀମାନେ ଆଗକୁ ବଢ଼ିବା ବଦଳରେ ପଛକୁ ଫେରିବାକୁ ବାଧ୍ୟ ହୋଇଥିଲେ। ରବିବାର ହିମସ୍ଖଳନରେ ନିଖୋଜ ହୋଇଥିବା ବ୍ୟକ୍ତିମାନେ ବିଭିନ୍ନ ଅଭିଯାନ କମ୍ପାନି ସହ ଜଡ଼ିତ ଥିବା ଜଣାପଡ଼ିଛି। ମାନାଙ୍ଗ ଜିଲ୍ଲାରେ ଥିବା ୭,୧୨୬ ମିଟର ଉଚ୍ଚ ହିମଲୁଙ୍ଗ ହିମାଲ ଅଞ୍ଚଳକୁ ହେଲିକପ୍ଟର ଉଡ଼ାଣ ପାଇଁ ଅତିରିକ୍ତ ଅନୁମତିର ଆବଶ୍ୟକତା ରହିଥାଏ।
ଏପଟେ ବଙ୍ଗୋପସାଗର ଉପରେ ଏକ ଡିପ୍ରେସନ୍ ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ନେପାଳର ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାରପାତ ସହ ପାହାଡ଼ ଓ ସମତଳ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଶୁକ୍ରବାରଠାରୁ ଦେଶରେ ଖରାପ ପାଗ ଲାଗି ରହିଥିବାରୁ ଅନେକ ସଡ଼କ ପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କେତେକ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯାତାୟାତ ମଧ୍ୟ ବନ୍ଦ କରାଯାଇଛି।
ପାଣିପାଗ ପରିସ୍ଥିତି ଆହୁରି ଖରାପ ହେଉଥିବାରୁ ନେପାଳର ପର୍ଯ୍ୟଟନ ଅଧିକାରୀମାନେ ଟ୍ରେକର ଓ ପର୍ବତାରୋହୀମାନଙ୍କୁ ସେମାନଙ୍କ କାର୍ଯ୍ୟକଳାପ ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି। ପର୍ଯ୍ୟଟନ ବିଭାଗ ମଧ୍ୟ ପର୍ଯ୍ୟଟନ କାର୍ଯ୍ୟକଳାପ ସାମୟିକ ଭାବେ ବନ୍ଦ ରଖିବାକୁ ପରାମର୍ଶ ଦେଇ ସତର୍କତା ଜାରି କରିଛି। ହିମସ୍ଖଳନ ପରେ ନିଖୋଜଙ୍କ ସନ୍ଧାନ ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ପାଗ ପରିସ୍ଥିତି ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।













Leave a Reply