ଅକ୍ଷର ବ୍ୟୁରୋ: ଅହମ୍ମଦାବାଦରେ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀ ଅନୁଷ୍ଠିତ । ଏହି ଅବସରରେ ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ପ୍ରଦର୍ଶିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭିଜନରୁ ଆକ୍ସନ-ଭାରତର ପୂର୍ବାଞ୍ଚଳ ଅଭିବୃଦ୍ଧିର ଅଭିଯାନ ଅହମ୍ମଦାବାଦରୁ ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅହମ୍ମଦାବାଦରେ ଆୟୋଜିତ ‘ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ’ରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୃଢ଼ ବାର୍ତ୍ତା ଦେଇଛନ୍ତି । ‘ପୂର୍ବୋଦୟ’ ପରିକଳ୍ପନାରେ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୁଜରାଟ ଗସ୍ତର ପ୍ରଥମ ଦିନରେ ପ୍ରମୁଖ ଉଦ୍ୟୋଗପତି ଏବଂ ବ୍ୟବସାୟିକ ସଂଘମାନେ ବ୍ୟାପକ ଭାବରେ ଯୋଗଦାନ କରିଛନ୍ତି ।
୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ଭାରତର ଅଭ୍ୟୁଦୟ ସହିତ ଭାରତର ଅର୍ଥନୈତିକ ସମ୍ପ୍ରସାରଣ ହେବ । ପଶ୍ଚିମ ଭାରତ ସହିତ ପୂର୍ବ ଭାରତର ବିକାଶ ହେଲେ ଏହି ଅଭିବୃଦ୍ଧି ଅଧିକ ସନ୍ତୁଳିତ ହେବ । ଓଡ଼ିଶା ଏହି ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଶିଳ୍ପଜଗତକୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରିତ କରାଯାଇଛି । ମିଳିତ ଅଭିବୃଦ୍ଧି ମାଧ୍ୟମରେ ଦେଶର ସମୃଦ୍ଧିରେ ଯୋଗଦାନ ରଖିବାକୁ ଅନୁରୋଧ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।












Leave a Reply