ଓଇଆରସିକୁ ମିଳିବ ନୂଆ ଅଧ୍ୟକ୍ଷ; ରାଜ୍ୟ ସରକାର ଆରମ୍ଭ କଲେ ଚୟନ ପ୍ରକ୍ରିୟା

ଅକ୍ଷର ବ୍ୟୁରୋ: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାର ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଇସ୍ତଫା ପରେ ଗତ ମେ ୨୬ ତାରିଖରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ରହିଥିବା ବେଳେ, ଏବେ ନୂଆ ଅଧ୍ୟକ୍ଷ ଚୟନ ପାଇଁ ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ ଆଗକୁ ବଢ଼ାଯାଇଛି। ଶକ୍ତି ବିଭାଗ ପକ୍ଷରୁ ଜୁଲାଇ ୧ ତାରିଖରେ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଗଠିତ ଚୟନ କମିଟି ଯୋଗ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଦୁଇଜଣଙ୍କ ନାମ ସମ୍ବଳିତ ଏକ ପ୍ୟାନେଲ୍ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ସୁପାରିଶ କରିବ। ଏହା ପରେ ସରକାର ଚୂଡ଼ାନ୍ତ ଭାବେ ଓଇଆରସିର ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିବେ।

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ୨୦୨୫ ଏପ୍ରିଲ୍ ୮ରୁ ୨୦୨୬ ମେ ୨୫ ପର୍ଯ୍ୟନ୍ତ ଓଇଆରସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦରୁ ଇସ୍ତଫା ଦେଇଥିଲେ, ଯାହାକୁ ରାଜ୍ୟ ସରକାର ଗ୍ରହଣ କରିଥିଲେ। ସେହିଦିନଠାରୁ ଓଇଆରସିର ଅଧ୍ୟକ୍ଷ ପଦ ଖାଲି ରହିଛି। ରାଜ୍ୟର ବିଦ୍ୟୁତ କ୍ଷେତ୍ରର ନିୟାମକ ଭାବେ ଓଇଆରସିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟୁତ ଦର ନିର୍ଦ୍ଧାରଣ, ବିଦ୍ୟୁତ ବଣ୍ଟନ ସଂସ୍ଥାଗୁଡ଼ିକର ନିୟନ୍ତ୍ରଣ ଓ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏହି ଆୟୋଗ ଉପରେ ନିର୍ଭର କରୁଥିବାରୁ, ନୂତନ ଅଧ୍ୟକ୍ଷଙ୍କ ନିଯୁକ୍ତିକୁ ନେଇ ପ୍ରଶାସନିକ ଓ ବିଦ୍ୟୁତ କ୍ଷେତ୍ରରେ ବେଶ୍ ଆଗ୍ରହ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)