ଅକ୍ଷର ବ୍ୟୁରୋ: କର୍ଣ୍ଣାଟକର ଶ୍ରୀରଙ୍ଗପାଟନାର ଏକ ମନ୍ଦିରରେ ଡ୍ୟୁଟିରେ ଥିବା ମହିଳା ପୁଲିସ ଅଧିକାରୀ ଓ ଜଣେ ବିଧାୟକଙ୍କ ଝିଅଙ୍କ ମଧ୍ୟରେ ହାତାହାତି ଘଟଣା ଏବେ ଚର୍ଚ୍ଚାରେ। ଅଗଷ୍ଟ ୧୨ ତାରିଖ ରାତି ପ୍ରାୟ ୮ଟା ୧୫ରେ ଆରତୀ ଉକ୍କାଡା ମନ୍ଦିରରେ ଘଟିଥିବା ଏହି ଘଟଣାର CCTV ଫୁଟେଜ୍ ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ଆହୁରି ଚର୍ଚ୍ଚା ଜୋର ଧରିଛି।ଭୀମ ଅମାବାସ୍ୟା ଅବସରରେ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ ଟୁମକୁର ଗ୍ରାମାଞ୍ଚଳ ବିଧାୟକ ବି. ସୁରେଶ ଗୌଡ଼ାଙ୍କ ଝିଅ ଐଶ୍ୱର୍ଯ୍ୟା ଦର୍ଶନ ପାଇଁ ମନ୍ଦିରକୁ ଆସିଥିଲେ। ସେ ଗର୍ଭଗୃହକୁ ପ୍ରବେଶ କରିବାକୁ ଚାହିଁଥିଲେ ମଧ୍ୟ ଭିଡ଼ କାରଣରୁ ତାଙ୍କୁ ଅନୁମତି ମିଳିନଥିଲା। ଏହାକୁ ନେଇ ମାଣ୍ଡ୍ୟା ମହିଳା ପୁଲିସ ଷ୍ଟେସନର ସବ୍-ଇନ୍ସପେକ୍ଟର ସବିତା ପାଟିଲଙ୍କ ସହ ଐଶ୍ୱର୍ଯ୍ୟାଙ୍କର ବଚସା ହୋଇଥିଲା।
ଅଭିଯୋଗ ଅନୁସାରେ, ବିବାଦ ବଢ଼ିବା ପରେ ଐଶ୍ୱର୍ଯ୍ୟା ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିଥିଲେ। ଏହାର ପ୍ରତିକ୍ରିୟାରେ ସବିତା ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ଚାପୁଡ଼ା ମାରିଥିବା CCTV ଫୁଟେଜରେ ଦେଖାଯାଉଛି। ଘଟଣା ସମୟରେ ଉପସ୍ଥିତ ଲୋକମାନେ ଉଭୟଙ୍କୁ ଅଲଗା କରିବାକୁ ହସ୍ତକ୍ଷେପ କରିଥିଲେ। ଘଟଣା ପରେ ବିଧାୟକ ବି. ସୁରେଶ ଗୌଡ଼ା କ୍ଷମା ପ୍ରାର୍ଥନା କରିଥିବା ବେଳେ ତାଙ୍କ ଝିଅଙ୍କ ସହ ପୁଲିସ ଅଧିକାରୀ ଖରାପ ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସବ୍-ଇନ୍ସପେକ୍ଟର ସବିତା ପାଟିଲ ଐଶ୍ୱର୍ଯ୍ୟାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗରେ ଐଶ୍ୱର୍ଯ୍ୟା ଦୁର୍ବ୍ୟବହାର କରିବା, ଚାପୁଡ଼ା ମାରିବା ଏବଂ ସରକାରୀ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରିଥିବା ଦର୍ଶାଯାଇଛି। ତେବେ ଏହି ଘଟଣାରେ ଐଶ୍ୱର୍ଯ୍ୟାଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ଦାଖଲ ହୋଇଥିବା ମାଣ୍ଡ୍ୟା ଏସ୍ପି ମଲ୍ଲିକାର୍ଜୁନ ବାଲାଦାଣ୍ଡି ସ୍ପଷ୍ଟ କରିଛନ୍ତି। ସେ ପୁଲିସ ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଉଭୟ ପକ୍ଷରୁ ଅଭିଯୋଗ ହୋଇଥିଲେ ମଧ୍ୟ ଘଟଣାକୁ ୧୪ ଦିନ ବିତିଯାଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ମଧ୍ୟ ପ୍ରଶ୍ନ ଉଠାଇଛି।














Leave a Reply