ପୁଟିନ-ଜେଲେନସ୍କି ପରସ୍ପରକୁ ଘୃଣା କରନ୍ତି, ତେଣୁ ଅଟକିଛି ଶାନ୍ତି ଆଲୋଚନା: ଟ୍ରମ୍ପ

ୱାଶିଂଟନ୍: ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ମନ୍ତବ୍ୟ ସାମ୍ନାକୁ ଆସିଛି। ସମ୍ପ୍ରତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଥିବା ଟ୍ରମ୍ପ କହିଛନ୍ତି ଯେ, ପୁଟିନ ଯୁଦ୍ଧ ବନ୍ଦ କରିବା ପାଇଁ ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି। ତେବେ ଶାନ୍ତି ଚୁକ୍ତି ପଥରେ ସବୁଠାରୁ ବଡ଼ ସମସ୍ୟା ହେଉଛି ପୁଟିନ ଓ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଥିବା ଘୃଣା ଓ ଶତ୍ରୁତା ବୋଲି ଟ୍ରମ୍ପ ମତ ଦେଇଛନ୍ତି।

ଟ୍ରମ୍ପଙ୍କ କହିବା ଅନୁସାରେ, ପୁଟିନ ଓ ଜେଲେନସ୍କି ଉଭୟେ ଯୁଦ୍ଧ ଶେଷ କରିବା ପାଇଁ ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି। କିନ୍ତୁ ଦୁଇ ନେତାଙ୍କ ମଧ୍ୟରେ ଥିବା ତୀବ୍ର ଶତ୍ରୁତା ଯୋଗୁଁ ଶାନ୍ତି ଆଲୋଚନା ଆଶାନୁରୂପ ଆଗକୁ ବଢ଼ିପାରୁନାହିଁ। ଏହି ବ୍ୟକ୍ତିଗତ ବିରୋଧ କୂଟନୈତିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି ବୋଲି ଟ୍ରମ୍ପ ସଙ୍କେତ ଦେଇଛନ୍ତି। ଶାନ୍ତି ଚୁକ୍ତି କରିବାକୁ ଏତେ ସମୟ କାହିଁକି ଲାଗୁଛି ଏବଂ ବିଳମ୍ବର କାରଣ କ’ଣ ବୋଲି ପଚରାଯିବାରୁ ଟ୍ରମ୍ପ ଦୁଇ ନେତାଙ୍କ ମଧ୍ୟରେ ଥିବା ଶତ୍ରୁତାକୁ ପ୍ରମୁଖ କାରଣ ଭାବେ ଦର୍ଶାଇଛନ୍ତି। ତାଙ୍କ ମତରେ, ଉଭୟ ପକ୍ଷ ଚୁକ୍ତି ଚାହୁଁଥିଲେ ମଧ୍ୟ ପରସ୍ପର ପ୍ରତି ଥିବା ଅବିଶ୍ୱାସ ଓ ଶତ୍ରୁତା ଆଲୋଚନାକୁ ଜଟିଳ କରୁଛି।

ଏହି ମଧ୍ୟରେ ରୁଷ, ୟୁକ୍ରେନ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇପାରିବ କି ବୋଲି ପଚରାଯିବାରୁ ଟ୍ରମ୍ପ ଏହାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଖାରଜ କରିନାହାନ୍ତି। ଉଚ୍ଚସ୍ତରୀୟ ବୈଠକ ଓ ଆଲୋଚନା ଜାରି ରହିଥିବା ସେ ସଙ୍କେତ ଦେଇଛନ୍ତି। ସିଧାସଳଖ ଆଲୋଚନାର ବିକଳ୍ପ ମଧ୍ୟ ଏବେ ବି ଖୋଲା ରହିଛି ବୋଲି ଟ୍ରମ୍ପ କହିଛନ୍ତି। ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧର ମାନବୀୟ କ୍ଷୟକ୍ଷତିକୁ ନେଇ ମଧ୍ୟ ଟ୍ରମ୍ପ ଚିନ୍ତା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଯୁଦ୍ଧରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି ଏବଂ ଗତ ମାସରେ ମୃତ୍ୟୁସଂଖ୍ୟା ପ୍ରାୟ ୨୫ ହଜାରରେ ପହଞ୍ଚିଥିଲା। ଏଭଳି ପରିସ୍ଥିତିରେ ଯୁଦ୍ଧ ଶେଷ କରି ଶାନ୍ତି ପ୍ରତିଷ୍ଠା ପାଇଁ କୂଟନୈତିକ ଆଲୋଚନାକୁ ଆଗକୁ ନେବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial