ସାରା ଓଡ଼ିଶାରେ ବର୍ଷାର ବିତ୍ପାତ; ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଆହୁରି ଦୁଇ ଦିନ ପ୍ରବଳ ବର୍ଷା

ଅକ୍ଷର ବ୍ୟୁରୋ: ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ବିତ୍ପାତ ଜାରି ରହିଛି। ଗତ ୨୪ ଘଣ୍ଟା ଧରି ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବାବେଳେ ଆଗାମୀ ଦୁଇ ଦିନ ମଧ୍ୟ ଏଭଳି ପରିସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଏହାକୁ ଦୃଷ୍ଟିରେ ରଖି ୮ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବାବେଳେ ଆଜି ସକାଳ ସାଢ଼େ ୮ଟାରୁ କାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ନୂଆପଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। କେବଳ ଓଡ଼ିଶା ନୁହେଁ, ଏହି ସକ୍ରିୟ ଲଘୁଚାପ ପ୍ରଭାବରେ ଗୁଜରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି।

ଗତ ୨୪ ଘଣ୍ଟାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ରାଜ୍ୟର ୬ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ରାସ୍ତା ଉପରେ ବିଶାଳ ଗଛ ଉପୁଡ଼ି ପଡ଼ିବାରୁ ତିନିଟି ପଞ୍ଚାୟତକୁ ଯାତାୟାତ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା। ସେହିପରି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘର ଓ ରାସ୍ତା ଉପରେ ଗଛ ପଡ଼ିଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା କାର୍ଯ୍ୟ ଚାଲିଛି।

ଲଗାଣ ବର୍ଷା ଯୋଗୁଁ କୋରାପୁଟର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି-ଡ୍ୟାମରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଡ୍ୟାମର ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ଫାଟକ ଖୋଲାଯାଇଥିବାବେଳେ ତଳିଆ ଅଞ୍ଚଳ ପାଇଁ ଜିଲ୍ଲା ପ୍ରଶାସନ ସତର୍କ ସୂଚନା ଜାରି କରିଛି। ପୁରୀ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଛି। କାକଟପୁର-କନ୍ଦଳପୁର ରାସ୍ତାର କନ୍ଦଳପୁର ଗାଁ ନିକଟରେ ପ୍ରାୟ ଦୁଇ ଫୁଟ ଉଚ୍ଚରେ ପାଣି ଜମିଥିବାରୁ କାକଟପୁରରୁ ପାଟସୁନ୍ଦରପୁର ପଞ୍ଚାୟତକୁ ସଡ଼କ ସଂଯୋଗ ବ୍ୟାହତ ହୋଇଛି। ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଉପୁଜିଛି।

ଅନ୍ୟପକ୍ଷରେ ଭଦ୍ରକର ଚାନ୍ଦବାଲି ହସ୍ପିଟାଲରେ ବର୍ଷା ପାଣି ପଶିଯାଇଥିବାବେଳେ ହସ୍ପିଟାଲ ଚଟାଣରେ ପାଣିର ସ୍ରୋତ ବହୁଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ଥିବାରୁ ନଦୀ, ନାଳ ଓ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି। ପାଣିପାଗ ବିଭାଗ ଅନାବଶ୍ୟକ ଯାତ୍ରା ଏଡ଼ାଇବା, ନିମ୍ନାଞ୍ଚଳବାସୀଙ୍କୁ ସତର୍କ ରହିବା ଏବଂ ପ୍ରଶାସନର ପରାମର୍ଶ ପାଳନ କରିବାକୁ ଅପିଲ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial