ଅକ୍ଷର ବ୍ୟୁରୋ: ଝଡ଼ାଫୁଙ୍କା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧୀନ ଛେଡ଼ାକଣି ଗ୍ରାମରୁ ଏଭଳି ସଙ୍ଗିନ ଅଭିଯୋଗ ଆସିଛି । ଜନୈକା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଝଡ଼ାଫୁଙ୍କା କରିବା ସମୟରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ପୀଡ଼ିତା ନିଜେ ଥାନାରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ବାବାକୁ ମହାକାଳପଡ଼ା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତା’ର ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ବାରିମୂଳ ସବଜେଲ୍କୁ ପଠାଇ ଦିଅଯାଇଛି । ଅନ୍ୟପକ୍ଷେ ବାବାକୁ ଗିରଫ କରିବାକୁ ଯାଇଥିବା ବେଳେ ପୋଲିସ ହଟହଟା ହୋଇଥିଲା । ପୋଲିସ ଗାଡ଼ି ଆଗରେ ବାବାର ସମର୍ଥକ ଓ ଗ୍ରାମବାସୀ ବସି ରହିଥିଲେ । ବାବାକୁ ଗିରଫ ନକରିବା ଜିଦ୍ରେ ଅଡ଼ି ବସିଥିଲେ । ଫଳରେ ବେଶ୍ କିଛି ସମୟ ଧରି ପୋଲିସ ଓ ଜନତାଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା ।
ପୀଡ଼ିତା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ ସେ ତାଙ୍କ ମାମୁଘର ଛେଡ଼ାକଣିକୁ ମାମୁ ଝିଅର ଜନ୍ମଦିନ ପାଳନ କରିବା ପାଇଁ ଯାଇଥିଲେ । ରାତିରେ ଖାଇ ସାରିବା ପରେ ସେ ଅଚାନକ ଅସୁସ୍ଥ ଅନୁଭବ କରିଥିଲେ । ନିଜକୁ ଧର୍ମବାଣୀ ପ୍ରଚାରକ ଭାବେ କହି ଆସୁଥିବା ଗୁଆଳକଣି ଗ୍ରାମର ସୁରେନ୍ଦ୍ର ରାଉତ ପାଖ ପାଖକୁ ଯାଇ ସମସ୍ୟା ବାବଦରେ କହିଥିଲେ । ସୁରେନ୍ଦ୍ର ତାଙ୍କୁ କହିଥିଲେ କି ତୁମେ ଘରକୁ ଯାଅ । ମୁଁ ଯାଇ ତମ ଘରେ ଝାଡ଼ିଦେବି । କହିବା ମୁତାବକ ବାବା ଘରେ ପହଞ୍ଚି ପୀଡ଼ିତାଙ୍କୁ ଝଡ଼ାଫୁଙ୍କା କରିଥିଲା । ତେବେ ଝଡ଼ାଫୁଙ୍କା ବାହାନାରେ ଦୁଷ୍କର୍ମ ଉଦ୍ୟମ କରିଥିଲା । ସଂପୃକ୍ତ ନାବାଳିକା ଚିତ୍କାର କରିବାରୁ ତାଙ୍କ ପାଟିକୁ ବାବା ଜଣ ଚାପି ଧରିଥିଲା । ପୀଡ଼ିତାଙ୍କ ପାଟି ଶୁଣି ତାଙ୍କ ମା’ ଦୌଡ଼ି ଆସିବାରୁ ବାବା ଖସି ପଳାଇବାକୁ ଉଦ୍ୟମ କରିଥିଲା । ପରେ ମାମୁଘର ଲୋକେ ତାକୁ କାବୁ କରି ନେଇଥିଲେ । ଖବର ପାଇ ବାବାଙ୍କ ସମ୍ପର୍କୀୟ ତଥା ବନ୍ଧୁବାନ୍ଧବ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆତ୍ମଘୋଷିତ ବାବା ସୁରେନ୍ଦ୍ରକୁ ଥାନାକୁ ଆଣିଥିଲା ।












Leave a Reply