ଅକ୍ଷର ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ ଆହୁରି ଭୟଙ୍କର ମୋଡ଼ ନେଇଛି। ବିଗତ କିଛି ମାସ ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଋଷ ସବୁଠାରୁ ବଡ଼ ଏୟାର ଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି। ଗତ ରାତିରେ ଶତାଧିକ ଆକ୍ରମଣକାରୀ ଡ୍ରୋନ୍ ଓ ଦଶାଧିକ ମିସାଇଲ୍ ସାହାଯ୍ୟରେ ହୋଇଥିବା ଏହି ଭୟାବହ ଆକ୍ରମଣରେ ଅତିକମରେ ୨୦ରୁ ୨୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ସୂଚନା ଅନୁଯାୟୀ, ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିବା ଏହି ଏୟାର ଷ୍ଟ୍ରାଇକ୍ କିଭ୍ ସହରକୁ ଥରାଇ ଦେଇଥିଲା। ଆକ୍ରମଣରେ ଶିଶୁ, ଉଦ୍ଧାରକାରୀ ଦଳର କର୍ମଚାରୀଙ୍କ ସମେତ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ସହରର ମଧ୍ୟଭାଗରେ ଥିବା ଶେଭଚେଙ୍କୋ ବୁଲେଭାର୍ଡ ଅଞ୍ଚଳର ଏକ ହୋଟେଲ, ବହୁତଳ ଆବାସିକ କୋଠା ଏବଂ ଶିଶୁମାନଙ୍କ ଖେଳପଡ଼ିଆ ଉପରେ ମିସାଇଲ୍ ମାଡ଼ ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି।
ବିସ୍ଫୋରଣ ପରେ ସହରର ବିଭିନ୍ନ ସ୍ଥାନରେ ଧ୍ୱଂସସ୍ତୂପ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ପରିସ୍ଥିତି ମଧ୍ୟରେ ଲଗାତାର ରେସ୍କ୍ୟୁ ଅପରେସନ୍ ଚଳାଇଛନ୍ତି। ଆକ୍ରମଣ ସମୟରେ ହଜାର ହଜାର ସ୍ଥାନୀୟ ବାସିନ୍ଦା ପ୍ରାଣ ବଞ୍ଚାଇବା ପାଇଁ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ। ସହରର ବହୁ ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ବହୁ ଋଷୀୟ ଡ୍ରୋନ୍ ଓ ମିସାଇଲ୍କୁ ଆକାଶରେ ଧ୍ୱଂସ କରିବାରେ ସଫଳ ହୋଇଥିଲେ ମଧ୍ୟ, କିଛି ମିସାଇଲ୍ ସହର ଭିତରେ ପଡ଼ି ବ୍ୟାପକ କ୍ଷୟକ୍ଷତି ଘଟାଇଛି।
ଏପଟେ ଋଷ ସରକାର କହିଛନ୍ତି ଯେ, ୟୁକ୍ରେନର ପୂର୍ବ ଆକ୍ରମଣର ଜବାବ ସ୍ୱରୂପ କେବଳ ସାମରିକ ଓ ଶିଳ୍ପଭିତ୍ତିକ ସଂସ୍ଥାକୁ ଟାର୍ଗେଟ୍ କରାଯାଇଥିଲା। କିନ୍ତୁ ୟୁକ୍ରେନ ଏହାକୁ ସାଧାରଣ ନାଗରିକଙ୍କ ଉପରେ ଯୋଜନାବଦ୍ଧ ବର୍ବର ଆକ୍ରମଣ ବୋଲି ଅଭିଯୋଗ କରିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହି ଆକ୍ରମଣର କଡ଼ା ନିନ୍ଦା କରିବା ସହ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ସେ ଆନ୍ତର୍ଜାତୀୟ ସମୁଦାୟକୁ ୟୁକ୍ରେନ ପାଇଁ ଅଧିକ ସାମରିକ ସହାୟତା ଯୋଗାଇବାକୁ ମଧ୍ୟ ଅପିଲ୍ କରିଛନ୍ତି। ଏହି ଆକ୍ରମଣ ପରେ ଯୁଦ୍ଧ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଥିବା ବେଳେ ବିଶ୍ୱସ୍ତରରେ ପୁଣି ଥରେ ଚିନ୍ତା ବଢ଼ିଛି।












Leave a Reply