ସତ୍ୟ ନିକେତନ ବିଲ୍ଡିଂ ଭୁଶୁଡ଼ିବା ଘଟଣା: ପିଜି ସଞ୍ଚାଳକ ସୁଧାଂଶୁ ଗିରଫ, ତଦନ୍ତରେ ଆସିଲା ବେସମେଣ୍ଟ ମରାମତିର ଦିଗ

ଅକ୍ଷର ବ୍ୟୁରୋ: ଦିଲ୍ଲୀର ସତ୍ୟ ନିକେତନ ବିଲ୍ଡିଂ ଭୁଶୁଡ଼ିବା ଘଟଣାକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ ଜାରି। ଭୁଶୁଡ଼ିଥିବା ବିଲ୍ଡିଂରେ ଚାଲିଥିବା ପିଜିର ଦେଖାଶୁଣା କରୁଥିବା ସୁଧାଂଶୁଙ୍କୁ ପୁଲିସ ଗିରଫ କରିଛି। ଏବେ ତାଙ୍କୁ ପଚରାଉଚରା କରାଯାଉଛି। କିଛି ସମୟ ମଧ୍ୟରେ ତାଙ୍କୁ କୋର୍ଟରେ ହାଜର କରାଯିବ।

ଦିଲ୍ଲୀ ପୁଲିସ ମୁତାବକ, ଅଗଷ୍ଟ ୨୦୨୫ରେ ମହେଶ ବିଲ୍ଡିଂକୁ ଦୁଇ ଭାଗରେ ଶୁଭମ ତ୍ୟାଗୀ ଏବଂ ସୁଧାଂଶୁଙ୍କୁ ଲିଜ୍‌ରେ ଦେଇଥିଲେ। ଉଭୟ ଅଂଶୀଦାର ବିଲ୍ଡିଂ ଲିଜ୍‌ରେ ନେଇ ସେଠାରେ ପିଜି ଚଳାଉଥିଲେ। ବିଲ୍ଡିଂ ଭୁଶୁଡ଼ିବା ପରେ ଶୁଭମ ଫେରାର ହୋଇଯାଇଥିବା ବେଳେ ସୁଧାଂଶୁଙ୍କୁ ପୁଲିସ ଗିରଫ କରିଛି। ଅନ୍ୟପକ୍ଷରେ, ପୂର୍ବରୁ ଗିରଫ ହୋଇଥିବା ବିଲ୍ଡିଂ ମାଲିକ ମହେଶଙ୍କ ଦୁଇ ଦିନିଆ ନ୍ୟାୟିକ ହେପାଜତ ଆଜି ଶେଷ ହେଉଛି। ତେଣୁ ତାଙ୍କୁ ସାଉଥ କ୍ୟାମ୍ପସ ପୁଲିସ ଷ୍ଟେସନରୁ ଆଜି କୋର୍ଟକୁ ନିଆଯିବ। ମହେଶଙ୍କ ସହିତ ବିଲ୍ଡିଂର କଣ୍ଟ୍ରାକ୍ଟର ଏବଂ ରାଜମିସ୍ତ୍ରୀଙ୍କୁ ମଧ୍ୟ କୋର୍ଟକୁ ନିଆଯାଇଛି। ଭୁଶୁଡ଼ିଥିବା ବିଲ୍ଡିଂର ଯେଉଁ କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା, ତାହାକୁ ହଟାଇବା ପାଇଁ ଆଜି କାମ କରାଯାଉଛି। ସେଠାରୁ ସମସ୍ତ ଜିନିଷ ହଟାଇ ଦିଆଯାଇଛି। ଏହାର ଆଖପାଖରେ ଥିବା ୫ରୁ ୬ଟି ବିଲ୍ଡିଂକୁ ମଧ୍ୟ ଖାଲି କରାଯାଇଛି। ବିଲ୍ଡିଂର ଯେଉଁ ଅଂଶ ଭଙ୍ଗାଯିବ, ତାହାକୁ କୌଣସି ମେସିନ୍‌ ବ୍ୟବହାର ନକରି ହାତୁଡ଼ିରେ ଭଙ୍ଗାଯିବ। ସେହିପରି ଏମସିଡି ଟିମ୍‌ ପକ୍ଷରୁ ଭୁଶୁଡ଼ିଥିବା ବିଲ୍ଡିଂ ପାର୍ଶ୍ୱରେ ଥିବା ଦୁର୍ବଳ ବିଲ୍ଡିଂକୁ ଭାଙ୍ଗିବା କାମ ମଧ୍ୟ କରାଯାଇଛି। ଘଟଣାସ୍ଥଳରେ ସୁରକ୍ଷାବଳ ଟିମ୍‌ ଉପସ୍ଥିତ ରହିଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ, ଭୁଶୁଡ଼ିଥିବା ବିଲ୍ଡିଂରେ ପ୍ରାୟ ୧୫ଟି ରୁମରେ ୪୫ ଜଣ ଛାତ୍ର ରହୁଥିଲେ। ଗୋଟିଏ ରୁମରେ ପ୍ରାୟ ୩ ଜଣ ଛାତ୍ର ରହୁଥିଲେ ଏବଂ ପ୍ରତ୍ୟେକଙ୍କଠାରୁ ମାଲିକ ପ୍ରାୟ ୧୦ ହଜାର ଟଙ୍କା ଭଡ଼ା ନେଉଥିଲେ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବିଲ୍ଡିଂରେ ଆବାସିକ ବ୍ୟବସ୍ଥା, ସୁରକ୍ଷା ଓ ନିର୍ମାଣ ନିୟମ ପାଳନ ନେଇ ମଧ୍ୟ ତଦନ୍ତ ଜୋରଦାର ହୋଇଛି। ତଦନ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି। ବିଲ୍ଡିଂର ବେସମେଣ୍ଟରେ ପୂର୍ବରୁ ମରାମତି କାମ ଚାଲିଥିଲା। ବେସମେଣ୍ଟରେ ପାଣି ଜମି ରହିବା ଏବଂ ସେଠାରେ ଚାଲିଥିବା ନିର୍ମାଣ କାମ ବିଲ୍ଡିଂର ମୂଳ ଭିତ୍ତିକୁ ଦୁର୍ବଳ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହାସହ ବିଲ୍ଡିଂରେ ଅନୁମତି ବିନା ଅତିରିକ୍ତ ନିର୍ମାଣ ଏବଂ ଗଠନଗତ ତ୍ରୁଟି ଥିବା ନେଇ ମଧ୍ୟ ତଦନ୍ତ ଚାଲିଛି। ଭୁଶୁଡ଼ିବାର ପ୍ରକୃତ କାରଣ ଏବଂ ଏଥିପାଇଁ କିଏ ଦାୟୀ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial