ଦକ୍ଷିଣ ଆଫ୍ରିକା: ଗୁଳିମାଡ଼ରେ ଥରିଲା ଦକ୍ଷିଣ ଆଫ୍ରିକା। ଦେଶର ଗୌତେଙ୍ଗ ପ୍ରାନ୍ତର ବେଡେଲା ଟାଉନସିପ୍ରେ ଥିବା ଏକ ବାର୍ରେ ଶନିବାର ରାତିରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ରାତି ପ୍ରାୟ ୯ଟା ୩୦ରେ ଘଟିଥିବା ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଦକ୍ଷିଣ ଆଫ୍ରିକା ପୋଲିସ ସେବା ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ବନ୍ଧୁକଧାରୀ ଆକ୍ରମଣକାରୀମାନେ ବାର୍ରେ ଉପସ୍ଥିତ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ୧୭ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।
ଘଟଣାର ଖବର ପାଇବା ପରେ ପୋଲିସ ସହ ଜରୁରୀକାଳୀନ ମେଡିକାଲ୍ ସର୍ଭିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମେଡିକାଲ୍ ଟିମ୍ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତକଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଏବଂ ୪ ଜଣ ମହିଳା ଥିବା ଜଣାପଡ଼ିଛି। ଏହି ଗୁଳିକାଣ୍ଡ ପରେ ପୋଲିସ ପକ୍ଷରୁ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଘଟଣା ପଛରେ କିଏ ରହିଛି ଏବଂ କେଉଁ କାରଣରୁ ଏହି ଗୁଳିକାଣ୍ଡ ଘଟିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଆକ୍ରମଣକାରୀଙ୍କ ସମ୍ପର୍କରେ ତୁରନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।













Leave a Reply