ହାଇଦ୍ରାବାଦ: ଭୋଟ୍ ଦେବାର ଅଧିକାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ। ଜଣେ ଭାରତୀୟ ନାଗରିକଙ୍କ ମତଦାନ ଅଧିକାର ସମ୍ବିଧାନର ମୌଳିକ ଢାଞ୍ଚା ସହ ଅତି ନିବିଡ଼ ଭାବେ ଜଡ଼ିତ ବୋଲି ସେ କହିଛନ୍ତି। ହାଇଦ୍ରାବାଦସ୍ଥିତ ନାଲସାର ୟୁନିଭରସିଟି ଅଫ୍ ଲ’ରେ ଆୟୋଜିତ ୧୯ତମ ନାଲସାର ଜଷ୍ଟିସ୍ ବି.ଆର୍. ସାହାଣୀ ମେମୋରିଆଲ ମୁଟ୍ କୋର୍ଟ ପ୍ରତିଯୋଗିତାର ଉଦ୍ଯାପନୀ ଅଭିଭାଷଣରେ ଜଷ୍ଟିସ୍ ଭୂୟାଁ ଏହି ମନ୍ତବ୍ୟ ଦେଇଛନ୍ତି।
ଜଷ୍ଟିସ୍ ଭୂୟାଁ କହିଛନ୍ତି, ଯଦି କୌଣସି ପ୍ରକ୍ରିୟା ମାଧ୍ୟମରେ ଲକ୍ଷ ଲକ୍ଷ ଭାରତୀୟ ନାଗରିକ ନିଜର ଭୋଟ୍ ଅଧିକାରରୁ ବଞ୍ଚିତ ହୁଅନ୍ତି, ତେବେ ସେଭଳି ପ୍ରକ୍ରିୟା ସ୍ୱତଃ ମନମୁଖୀ ହୋଇଯାଏ। ଏହା ସମ୍ବିଧାନର ଅନୁଚ୍ଛେଦ ୧୪ ଏବଂ ଅନୁଚ୍ଛେଦ ୩୨୬ର ସିଧାସଳଖ ଉଲ୍ଲଂଘନ ବୋଲି ସେ ମତ ରଖିଛନ୍ତି। ତାଙ୍କ ମତରେ, ଭାରତୀୟ ସମ୍ବିଧାନ ଦୁଇ ପ୍ରକାରର ନାଗରିକ—ଭୋଟ୍ ଅଧିକାର ଥିବା ଏବଂ ଭୋଟ୍ ଅଧିକାର ନଥିବା ନାଗରିକ—ସୃଷ୍ଟି କରିବାର ପରିକଳ୍ପନା କରିନାହିଁ। ବ୍ୟାପକ ସଂଖ୍ୟାରେ ଲୋକଙ୍କୁ ମତାଧିକାରରୁ ଦୂରେଇ ରଖିବା ସମ୍ବିଧାନର ମୂଳ ଆତ୍ମାକୁ କୁଠାରାଘାତ କରିବା ସଦୃଶ ବୋଲି ସେ କହିଛନ୍ତି।
ଭୋଟ୍ ଅଧିକାର କେବଳ ଏକ ସାଧାରଣ ଆଇନଗତ ବ୍ୟବସ୍ଥା ନୁହେଁ, ଏହାର ମୂଳ ଉତ୍ସ ସମ୍ବିଧାନର ଅନୁଚ୍ଛେଦ ୩୨୬ରେ ରହିଛି ବୋଲି ଜଷ୍ଟିସ୍ ଭୂୟାଁ ଉଲ୍ଲେଖ କରିଛନ୍ତି। ଅନୁଚ୍ଛେଦ ୩୨୬ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ସାର୍ବଜନୀନ ପ୍ରାପ୍ତବୟସ୍କ ମତାଧିକାରର ସାମ୍ବିଧାନିକ ଗ୍ୟାରେଣ୍ଟି ପ୍ରଦାନ କରେ। ଗଣତନ୍ତ୍ରରେ ଜଣେ ସାଧାରଣ ନାଗରିକଙ୍କ ପାଇଁ ଦେଶର ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ହେଉଛି ଭୋଟ୍ ବୋଲି ସେ କହିଛନ୍ତି। ଜଣେ ଅତି ଧନୀ ବ୍ୟକ୍ତି ହୁଅନ୍ତୁ କି ଜଣେ ସାଧାରଣ ରିକ୍ସା ଚାଳକ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟଙ୍କ ଭୋଟ୍ର ମୂଲ୍ୟ ସମ୍ପୂର୍ଣ୍ଣ ସମାନ ବୋଲି ଜଷ୍ଟିସ୍ ଭୂୟାଁ ସ୍ପଷ୍ଟ କରିଛନ୍ତି।
ଭୋଟର ତାଲିକାରୁ ନାମ ବାଦ୍କୁ ନେଇ ବଡ଼ ଟିପ୍ପଣୀ
ଭୋଟର ତାଲିକାରୁ ନାମ ବାଦ୍ ଦେବା ପ୍ରସଙ୍ଗରେ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ମଧ୍ୟ ଜଷ୍ଟିସ୍ ଭୂୟାଁ ଦର୍ଶାଇଛନ୍ତି। ସେ କହିଛନ୍ତି, କେବଳ ମୃତ ଭୋଟରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମ ଥରେ ଭୋଟର ତାଲିକାରେ ସାମିଲ ହୋଇଗଲେ, ତାଙ୍କୁ ଉପଯୁକ୍ତ ନୋଟିସ୍ ଏବଂ ନିଜ ପକ୍ଷ ରଖିବାର ଯଥେଷ୍ଟ ସୁଯୋଗ ନଦେଇ ମନମୁଖୀ ଭାବେ ବାଦ୍ ଦିଆଯାଇପାରିବ ନାହିଁ। ସେ ଆହୁରି କହିଛନ୍ତି ଯେ, ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଦେଶର ମୌଳିକ ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ଭୋଟ୍ ଅଧିକାର ଗଭୀର ଭାବେ ଜଡ଼ିତ। କୌଣସି କର୍ତ୍ତୃପକ୍ଷ କିମ୍ବା ସଂସ୍ଥା ସମ୍ବିଧାନର ଅନୁଚ୍ଛେଦ ୩୨୬କୁ କ୍ଷୁଣ୍ଣ କରିପାରିବେ ନାହିଁ। ଦେଶରେ ସମ୍ବିଧାନର ଊର୍ଦ୍ଧ୍ୱରେ କେହି ନୁହନ୍ତି ବୋଲି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ତାଙ୍କ ଅଭିଭାଷଣରେ ଗୁରୁତ୍ୱାରୋପ କରିଛନ୍ତି।













Leave a Reply