ରାଜଧାନୀରେ ପୁଣି ଖଣ୍ଡା ଆତଙ୍କ! ଦୋକାନୀଙ୍କୁ ମାରଣାନ୍ତକ ଆକ୍ରମଣ, ମହିଳା ବି ଆହତ

ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଅପରାଧୀଙ୍କ ଦୌରାତ୍ମ୍ୟ ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ସହରର ରାସ୍ତାରେ ଖଣ୍ଡା ଓ ତେଲେଙ୍ଗା ଧରି ଦୁର୍ବୃତ୍ତମାନେ ଆତଙ୍କ ସୃଷ୍ଟି କରିବା ସହ ଜଣେ ଦୋକାନୀଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ମହିଳା ମଧ୍ୟ ଆହତ ହୋଇଥିବାରୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଆହତ ଦୋକାନୀଙ୍କ ନାମ ଉଦୟ କିରଣ। ସେ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ତାଙ୍କ ଉପରେ ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣ ବେଳେ ସେଠାରେ ଥିବା ଜଣେ ମହିଳା ମଧ୍ୟ ଖଣ୍ଡା ଚୋଟରେ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଆହତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ଡାକ୍ତରମାନେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିଛନ୍ତି।

ଘଟଣାର ତଦନ୍ତ ଆରମ୍ଭ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ‘ରାମୁଲୁ’ ନାମକ ଜଣେ ଯୁବକ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ସୂଚନା ପାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଥିବା ବେଳେ ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରୁଛି। ତେବେ ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ରହିଛି କି, ବ୍ୟକ୍ତିଗତ ବିବାଦ ନା ଅନ୍ୟ କୌଣସି କାରଣ, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ରାଜଧାନୀରେ ଦିନକୁ ଦିନ ଏଭଳି ମାରଣାସ୍ତ୍ରଧାରୀ ଆକ୍ରମଣ ବଢ଼ୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)