ଅଟଳ ଟନେଲ ବାହାରେ ଭୟଙ୍କର ସଡ଼କ ଦୁର୍ଘଟଣା; ନଦୀକୁ ଖସିଲା କାର୍‌, ଜଣେ ପର୍ଯ୍ୟଟକ ମୃତ, ୩ ଗୁରୁତର

ଅକ୍ଷର ବ୍ୟୁରୋ: ହିମାଚଳ ପ୍ରଦେଶର ପ୍ରସିଦ୍ଧ ଅଟଳ ଟନେଲ ନର୍ଥ ପୋର୍ଟଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମନାଲିରୁ ଲାହୋଲ ଅଭିମୁଖେ ଯାଉଥିବା ଏକ କାର୍‌ ନିୟନ୍ତ୍ରଣ ହରାଇ ରାସ୍ତାରୁ ନଦୀକୁ ଖସିପଡ଼ିବାରୁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ମୃତକ ହେଲେ ରାଜସ୍ଥାନର ସିକର ଜିଲ୍ଲାର ୩୪ ବର୍ଷୀୟ କୈଳାଶ। ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ପର୍ଯ୍ୟଟକମାନେ ମନାଲିରୁ ଲାହୋଲ ଯାଉଥିଲେ। ଅଟଳ ଟନେଲ ଅତିକ୍ରମ କରିବା ପରେ ନର୍ଥ ପୋର୍ଟଲଠାରୁ କିଛି ଦୂରରେ ଡ୍ରାଇଭର ଅତ୍ୟଧିକ ବେଗ ଯୋଗୁଁ ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ। ଫଳରେ କାର୍‌ଟି ରାସ୍ତାରୁ ଖସି ନଦୀକୁ ପଡ଼ିଯିବା ସହ ନଦୀ ଉପରେ ନିର୍ମାଣାଧୀନ ଏକ ପିଲାରରେ ଧକ୍କା ଖାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। କୈଳାଶଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିବାବେଳେ, ଗୁରୁତର ଆହତ ଅନ୍ୟ ୩ ଜଣଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ଘଟଣା ପରେ ପୋଲିସ ପର୍ଯ୍ୟଟକମାନଙ୍କୁ ବିଶେଷ ସତର୍କବାଣୀ ଜାରି କରିଛି। ବିଶେଷକରି ବର୍ଷା ଋତୁରେ ପାହାଡ଼ିଆ ରାସ୍ତାରେ ରାତି ସମୟରେ ଯାତ୍ରା କରିବା ଏବଂ ଦ୍ରୁତ ଗତିରେ ଗାଡ଼ି ଚଳାଇବାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି। ପାହାଡ଼ିଆ ଅଞ୍ଚଳରେ ସାମାନ୍ୟ ଅସାବଧାନତା ମଧ୍ୟ ବଡ଼ ଦୁର୍ଘଟଣାର କାରଣ ହୋଇପାରେ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)