ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ। ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ ପକ୍ଷରୁ ଜାତିସଂଘର ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ ଅବସରରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଆଧ୍ୟାତ୍ମିକ ନେତା, ଶିକ୍ଷାବିତ, ଯୋଗ ଶିକ୍ଷକ, ଶାନ୍ତି ପ୍ରବକ୍ତା ଏବଂ ବିଭିନ୍ନ ପେଶାର ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଏକତ୍ରିତ ହୋଇଥିଲେ।
ଦିବ୍ୟ ଜୀବନ ସଂଘର ପୂର୍ବତନ ଅଧ୍ୟକ୍ଷ, ଆଧ୍ୟାତ୍ମିକ ଗୁରୁ ତଥା ମାନବତା ଓ ଶାନ୍ତିର ପ୍ରଚାରକ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପବିତ୍ର ସ୍ମୃତିରେ ଏହି ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ ହୋଇଥାଏ। ‘ଚିଦାନନ୍ଦ ଦଶକ ୨୦୧୬–୨୦୨୬: ଏକ ବିଶ୍ୱ ଶାନ୍ତି ଅଭିଯାନ’ର ଅଂଶବିଶେଷ ଭାବେ ଆୟୋଜିତ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା—‘ଶାନ୍ତି, ମାନବଜାତିର ଆବଶ୍ୟକତା’।
ବେଦ ମନ୍ତ୍ର ପାଠ ସହ ସମ୍ମିଳନୀର ଶୁଭାରମ୍ଭ ହୋଇଥିଲା। ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନର ମହାସଚିବ ଅମରନାଥ ସେଠୀ ଉଦ୍ଘାଟନୀ ମନ୍ତବ୍ୟ ପ୍ରଦାନ କରିଥିଲେ। ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ ସମ୍ମିଳନୀର ମୁଖ୍ୟ ବିଷୟ ଉପରେ ଆଲୋଚନା କରି କହିଥିଲେ ଯେ, ସ୍ଥାୟୀ ଶାନ୍ତି କେବଳ ସମ୍ମିଳନୀ, ଚୁକ୍ତି, ସଂକଳ୍ପ କିମ୍ବା କୂଟନୈତିକ ପଦକ୍ଷେପରେ ହାସଲ କରାଯାଇପାରିବ ନାହିଁ। ପ୍ରଥମେ ମଣିଷର ଅନ୍ତରରେ ଶାନ୍ତି ସ୍ଥାପିତ ହୋଇ ପରେ ପରିବାର, ସମାଜ, ରାଷ୍ଟ୍ର ଓ ସମଗ୍ର ବିଶ୍ୱକୁ ଏହା ବ୍ୟାପିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ସାମ୍ପ୍ରତିକ ସମୟରେ ଯୋଗ ଓ ଆୟୁର୍ବେଦର ପ୍ରାସଙ୍ଗିକତା ଉପରେ ଯୋଗୀ ଜୟଦେବନ ଆଲୋଚନା କରି ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କଲ୍ୟାଣରେ ଯୋଗର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ‘ଏକ ସ୍ୱାସ୍ଥ୍ୟ ଓ ଏକ ବିଶ୍ୱ’ ବିଷୟରେ ଲଣ୍ଡନର ଡାକ୍ତର ଦିବାକର ସୁକୁଲ ମାନବ ସ୍ୱାସ୍ଥ୍ୟ ଓ ପୃଥିବୀର ସ୍ୱାସ୍ଥ୍ୟ ମଧ୍ୟରେ ଥିବା ଅବିଚ୍ଛେଦ୍ୟ ସମ୍ପର୍କ ଉପରେ ଆଲୋକପାତ କରିଥିଲେ।
ବରିଷ୍ଠ ସନ୍ଥ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ ସ୍ୱାମୀ ଶିବାନନ୍ଦଙ୍କ ଯୋଗ ଦର୍ଶନକୁ ସମ୍ପୂର୍ଣ୍ଣ ଜୀବନଯାପନ ଶୈଳୀ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ପ୍ରାର୍ଥନା, ଧ୍ୟାନ ଓ ଯୋଗ ଅଭ୍ୟାସ ମାଧ୍ୟମରେ ଦୈନନ୍ଦିନ ଜୀବନରେ ଶାନ୍ତି ଆହରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଆନ୍ତର୍ଜାତିକ ସମ୍ପର୍କର ବିଦ୍ୱାନ ପ୍ରଫେସର ମନୋରଞ୍ଜନ ମହାନ୍ତି ଶାନ୍ତିକୁ ଏକ ବିଶ୍ୱବ୍ୟାପୀ ଆନ୍ଦୋଳନର ରୂପ ଦେବାକୁ ଆହ୍ୱାନ ଜଣାଇଥିଲେ। ଦିଲ୍ଲୀ-ଗୁରୁଗ୍ରାମ ରାମକୃଷ୍ଣ ମଠ ଓ ମିଶନର ସ୍ୱାମୀ ପ୍ରାଣପ୍ରଦାନନ୍ଦ ଶ୍ରୀରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନରେ ଶାନ୍ତିର ପ୍ରାସଙ୍ଗିକତା ବିଷୟରେ ଆଲୋଚନା କରିଥିଲେ। ଋଷିକେଶର ସ୍ୱର୍ଗାଶ୍ରମର ସ୍ୱାମୀ ବିଶ୍ୱରୂପାନନ୍ଦ ସରସ୍ୱତୀ ଏବଂ ବେଙ୍ଗାଲୁରୁର କର୍ପୋରେଟ୍ ଟ୍ରେନର ଶିବାନନ୍ଦ ଚୌଧୁରୀ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ। ସଭାରେ ଅଧ୍ୟକ୍ଷତା କରିଥିଲେ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ।
ଏହି ଅବସରରେ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀଙ୍କ ରଚିତ ଇଂରାଜୀ ପୁସ୍ତକ ‘Shivananda Yoga – A Worldwide Phenomenon’ ଉନ୍ମୋଚିତ ହୋଇଥିଲା। ପୁସ୍ତକରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଯୋଗ ସମ୍ପର୍କିତ ମୌଳିକ ଶିକ୍ଷା ଏବଂ ସମସାମୟିକ ଜଗତରେ ତାଙ୍କ ଦୃଷ୍ଟିକୋଣର ପ୍ରାସଙ୍ଗିକତା ସ୍ଥାନ ପାଇଛି। ପୁସ୍ତକଟି ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଲିଖିତ ଅଗ୍ରସୂଚନା ଲାଭ କରିଥିବା ମଧ୍ୟ ଉଲ୍ଲେଖ କରାଯାଇଛି।
ସମ୍ମିଳନୀର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଆଧ୍ୟାତ୍ମିକତା, ଯୋଗ, ସେବା, ଶାନ୍ତି, ଯୁବ ନେତୃତ୍ୱ, ସାମାଜିକ ଓ ଡିଜିଟାଲ କ୍ଷେତ୍ରରେ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବା। ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜଙ୍କୁ ‘ଲାଇଟ୍ ଅଫ୍ ହ୍ୟୁମାନିଟି’ ସମ୍ମାନ, ସ୍ୱାମୀ ବିଶ୍ୱରୂପାନନ୍ଦ ସରସ୍ୱତୀଙ୍କୁ ‘ଶିବାନନ୍ଦ ଯୋଗ ରତ୍ନ’, ଯୋଗୀ ଜୟଦେବନଙ୍କୁ ‘ପତଞ୍ଜଳି ମହର୍ଷି ସମ୍ମାନ’, ଲଣ୍ଡନର ଡାକ୍ତର ଦିବାକର ସୁକୁଲଙ୍କୁ ‘ନିଷ୍କାମ କର୍ମ ଯୋଗୀ ସମ୍ମାନ’ ଏବଂ ଆଚାର୍ଯ୍ୟ ସୌମ୍ୟାଙ୍କୁ ‘ପୁରାଣ ପୁରୁଷ ସମ୍ମାନ’ ପ୍ରଦାନ କରାଯାଇଥିଲା।
ସେହିପରି ନନ୍ଦନ ଦ୍ୱିବେଦୀ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଜେନ୍ଜେଡ୍ର ବିଶ୍ୱ ଶାନ୍ତିରେ ଯୋଗଦାନ ବିଷୟରେ ଉତ୍କୃଷ୍ଟ ଉପସ୍ଥାପନା ପାଇଁ ‘ଯୁବ ଭାରତୀ ସମ୍ମାନ’ ପାଇଥିଲେ। ଶେଖର ଗୋସ୍ୱାମୀ ଓ ଦମୟନ୍ତୀ ଚୌଧୁରୀଙ୍କୁ ମଧ୍ୟ ‘ଯୁବ ଭାରତୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ବେଦାଙ୍ଗ ଗୋଏଲଙ୍କୁ ‘ଯୁବ ପ୍ରତିଭା ପୁରସ୍କାର’ ଏବଂ ବିଜୟ କୁମାର ପାତ୍ରଙ୍କୁ ଅଡିଓ, ଭିଡିଓ ଓ ଡିଜିଟାଲ ମିଡିଆ ମାଧ୍ୟମରେ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର ପାଇଁ ‘ଶିବାନନ୍ଦ ସେବା ରତ୍ନ’ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଜୀବ କୁମାର ପୁରୋହିତ ଓ ଗୋବିନ୍ଦ ଚନ୍ଦ୍ର ମହାନ୍ତିଙ୍କୁ ‘ଚିଦାନନ୍ଦ ଭକ୍ତି ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।













Leave a Reply