ବିଦ୍ୟୁତ୍ ବିଲ୍‌ ସହ ଯୋଡ଼ାଯାଇପାରେ ଟ୍ରାଫିକ୍ ଇ-ଚାଲାଣ! ବକେୟା ଜରିମାନା ଆଦାୟ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ପ୍ରସ୍ତାବ

ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି କଟିଥିବା ବକେୟା ଇ-ଚାଲାଣ ଟଙ୍କା ଆଦାୟ ପାଇଁ ଏକ ନୂଆ ବ୍ୟବସ୍ଥା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି। ବକେୟା ଟ୍ରାଫିକ୍ ଇ-ଚାଲାଣକୁ ବିଦ୍ୟୁତ୍ ବିଲ୍‌ ସହ ଯୋଡ଼ି ଆଦାୟ କରାଯାଇପାରିବ କି ନାହିଁ, ତାହା ଖତିଆନ କରିବାକୁ କୋର୍ଟ କହିଛନ୍ତି। ତେବେ ଏନେଇ ସୁପ୍ରିମକୋର୍ଟ କୌଣସି ଦେଶବ୍ୟାପୀ ନିର୍ଦ୍ଦେଶ ଜାରି କରିନାହାନ୍ତି; ଏହା ଶୁଣାଣି ସମୟରେ ଦିଆଯାଇଥିବା ଏକ ସମ୍ଭାବ୍ୟ ଉପାୟର ପ୍ରସ୍ତାବ।

ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ନିୟମର ଇଲେକ୍ଟ୍ରୋନିକ୍ ଏନଫୋର୍ସମେଣ୍ଟ ସମ୍ପର୍କିତ ମାମଲାର ଶୁଣାଣି କରୁଥିବା ବେଳେ ଏହି ପ୍ରସ୍ତାବ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ହଜାର ହଜାର କିମ୍ବା ଲକ୍ଷ ଲକ୍ଷ ଇ-ଚାଲାଣ କାଟିଦେବା ମାତ୍ର ଯଥେଷ୍ଟ ନୁହେଁ, ମୁଖ୍ୟ ପ୍ରଶ୍ନ ହେଉଛି ଜରିମାନା ଟଙ୍କା କିପରି ଆଦାୟ ହେବ।

କୋର୍ଟଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ଇ-ଚାଲାଣ ଜରିମାନା ଆଦାୟ ହେବାକୁ ଥିବା ବେଳେ ପ୍ରାୟ ୨୫ ହଜାର କୋଟି ଟଙ୍କା ଆଦାୟ ହୋଇସାରିଛି। ଅର୍ଥାତ୍ ପ୍ରାୟ ୨୦ ହଜାର କୋଟି ଟଙ୍କା ଏବେ ବି ବକେୟା ରହିଛି। ଏହି ବଡ଼ ବକେୟା ରାଶି ଆଦାୟ ପାଇଁ ବିଦ୍ୟୁତ୍ ବିଲ୍‌ ସହ ଇ-ଚାଲାଣ ଯୋଡ଼ିବାର ସମ୍ଭାବନା ଖୋଜିବାକୁ ଖଣ୍ଡପୀଠ କହିଛନ୍ତି।

ଏହା ବ୍ୟତୀତ ବକେୟା ଇ-ଚାଲାଣ ଥିବା ଗାଡ଼ିର ରେଜିଷ୍ଟ୍ରେସନ୍ ନବୀକରଣ ଅଟକାଇବା, ଗାଡ଼ିର ମାଲିକାନା ପରିବର୍ତ୍ତନରେ ରୋକ୍ ଲଗାଇବା, ପରିବହନ ପୋର୍ଟାଲରେ ଗାଡ଼ିକୁ ବ୍ଲାକ୍‌ଲିଷ୍ଟ କରିବା, ଫିଟନେସ୍ ସାର୍ଟିଫିକେଟ୍ ଓ ପିୟୁସି ସାର୍ଟିଫିକେଟ୍‌ ଜାରି ଉପରେ ରୋକ୍ ଭଳି ପଦକ୍ଷେପ ନେଇ ମଧ୍ୟ ଆଲୋଚନା ହୋଇଛି। ଡ୍ରାଇଭିଂ ଲାଇସେନ୍ସ ନବୀକରଣ ଅଟକାଇବା ଓ ଆବଶ୍ୟକ ହେଲେ ପୂର୍ବରୁ ଜାରି ଲାଇସେନ୍ସ ଉପରେ କାର୍ଯ୍ୟାନୁଷ୍ଠାନର କଥା ମଧ୍ୟ ଆସିଛି। ସେହିପରି ରାସ୍ତାରେ ରାଣ୍ଡମ୍ ଯାଞ୍ଚ ସମୟରେ କୌଣସି ଗାଡ଼ିର ବକେୟା ଇ-ଚାଲାଣ ଥିବା ଜଣାପଡ଼ିଲେ ଆବଶ୍ୟକ ପଦକ୍ଷେପ ନେବା, ଏପରିକି ଗାଡ଼ି ଜବତ କରିବା ଭଳି ବ୍ୟବସ୍ଥା ଉପରେ ମଧ୍ୟ ଖଣ୍ଡପୀଠ ବିଚାର କରିବାକୁ କହିଛନ୍ତି।

ଏହି ମାମଲା ୨୦୧୨ରେ କୋଏମ୍ବାଟୁରର ଅର୍ଥୋପେଡିକ୍ ସର୍ଜନ୍ ଏସ୍. ରାଜଶେଖରନଙ୍କ ପକ୍ଷରୁ ଦାୟର ସଡ଼କ ସୁରକ୍ଷା ସମ୍ପର୍କିତ ଜନସ୍ୱାର୍ଥ ମାମଲା ସହ ଜଡ଼ିତ। ଦୀର୍ଘ ସମୟ ଧରି ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକ ଭୂମିସ୍ତରରେ କେତେଦୂର କାର୍ଯ୍ୟକାରୀ ହୋଇଛି ଏବଂ ବକେୟା ଜରିମାନା କିପରି ପ୍ରଭାବୀ ଭାବେ ଆଦାୟ ହୋଇପାରିବ, ଶୁଣାଣି ସମୟରେ ତାହା ଉପରେ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial